ଧରା ପଡ଼ିଗଲା ଟଙ୍କା ହେରଫେର, ଆକାଉଣ୍ଟାଣ୍ଟଙ୍କ ଆକାଉଣ୍ଟ ସିଜ୍

ଭବାନୀପାଟଣା: ଏକ୍ସ କ୍ୟାଡର ଶିକ୍ଷକଙ୍କ ୩୯ ଲକ୍ଷ ଟଙ୍କା ହେରଫେର ମାମଲାରେ ଆକାଉଣ୍ଟାଣ୍ଟ ସୁଚିସ୍ମିତାଙ୍କ ଆକାଣ୍ଟ ସିଜ୍ କଲା ପୋଲିସ । ଭବାନୀପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏକ୍ସ କ୍ୟାଡର୍ ଶିକ୍ଷକଙ୍କ ଦରମାକୁ ନେଇ ସନ୍ଦେହରେ ଛନ୍ଦି ହୋଇଛନ୍ତି ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର । ପବ୍ଲିକ ଫଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ ଦ୍ବାରା ଦରମା ଟଙ୍କାକୁ ନିଜ ବ୍ୟକ୍ତିଗତ ଏକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି । ଅଫିସରେ ସ୍କୁଟି ଥିବା ବେଳେ ସୁଚିସ୍ମିତା ସୁଆର ଫେରାର ଥିବା ଜଣାପଡ଼ିଛି । ଏନେଇ ତାଙ୍କ ବିରୁଦ୍ଧରେ ଭବାନୀପାଟଣା ଟାଉନ୍ ଥାନରେ ଏକ ଏତଲା ଦାୟର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୁଚିସ୍ମିତା ସୁଆରଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରାଯାଇଥିବା କଥା ବିଇଓ ଠାକୁର ଚରଣ ସାହୁ ପ୍ରକାଶ କରିଛନ୍ତି । ସଦର ବ୍ଲକର ୧୭୧ ଜଣ ଏକ୍ସ କ୍ୟାଡର ଶିକ୍ଷକ ପ୍ରତି ମାସ ପବ୍ଲିକ ଫଣ୍ଡ୍ ମ୍ୟାନେଜମେଣ୍ଟ ସିଷ୍ଟମରେ ଦରମା ପାଇ ଆସୁଥିଲେ । ଦଶହରା ପୂର୍ବରୁ ଦରମା ପ୍ରଦାନ କରାଯାଇଥିଲେ ମଧ୍ୟ ଏକ୍ସ କ୍ୟାଡର୍ ଶିକ୍ଷକଙ୍କ ଦରମା ମିଳିନାହିଁ । ୧୭୧ ଜଣ ମଧ୍ୟରୁ ୪୮ ଜଣଙ୍କ ଦରମା ପାଇଁ ବିଭାଗ ତତ୍ପରତା ଦେଖାଇଥିବା ବେଳେ ବଳକା ଏକ୍ସ କ୍ୟାଡର୍ ଶିକ୍ଷକଙ୍କ ଦରମା ଅନିଶ୍ଚିତତା ମଧ୍ୟରେ ରହିଛି । ଆକାଉଣ୍ଟାଣ୍ଟ ସୁଚିସ୍ମିତା କେତେକ ଗଣଶିକ୍ଷକଙ୍କ ଇପିଏଫ୍ ଟଙ୍କା ମଧ୍ୟ ଜମା କରି ନଥିବା ବେଳେ ୬ ଜଣ ଏକ୍ସ କ୍ୟାଡର୍ ଶିକ୍ଷକଙ୍କ ମୃତ୍ୟୁ ପରେ ସେମାନଙ୍କ ଜିଆରଏସ୍ ଓ ଡେଥ୍ ଗ୍ରାଚ୍ୟୁଟି ଅର୍ଥ ମଧ୍ୟ ମିଳି ନଥିବା ଜଣାପଡ଼ିଛି ।

ଆଶ୍ଚର୍ଯ୍ୟର କଥା ହେଲା ବ୍ୟାଙ୍କକୁ ପ୍ରଦାନ କରାଯାଇଥିବା ପିପିଏଫରେ ପୂର୍ବତନ ବିଇଓ ଜଗନ୍ନାଥ ପୁରୋହିତଙ୍କ ଦସ୍ତକ୍ଷତ ରହିଛି । ଯିଏକି ଗତ ମେ’ ମାସରୁ ଅବସର ନେଇ ସାରିଛନ୍ତି । ଭବାନୀପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଠାକୁର ଚରଣ ସାହୁ ଥିବା ବେଳେ ତାଙ୍କ ଦସ୍ତକ୍ଷତ କେମିତି ଆସିଲା ସେ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି  ।