ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା, ତିନି ରଥରେ ଯୋଡ଼ା ହେବ ଚକ-ଅଖ

1 min read

ପୁରୀ: ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ହେବ। ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେବ ଚକ-ଅଖ। ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ।

୩ ପୂଜାପଣ୍ଡା ସକାଳ ଧୂପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିବା ପରେ ବିଶ୍ୱକର୍ମାମାନେ ଅନୁକୁଳ କରିଥାନ୍ତି । ସେପଟେ ରଥ ଖଳାରେ ୩ ରଥର ୩ଟି ନାହାକା ଅଖ ଓ ୬ଟି ଚକ ପ୍ରସ୍ତୁତ କରି ରଖାଯାଇଥିବା ବେଳେ, ଶୀତଳ ଷଷ୍ଠୀ ପୂର୍ବରୁ ୪୨ଟି ଚକକୁ ୨୧ଟି ଅଖ ସଂପୂର୍ଣ୍ଣ କରି ଡେରାଯିବ। ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନର ପଟୁଆରରେ ବଡ଼ଦାଣ୍ଡରେ ଉଭା ହେବେ ଦେବଦେବୀ। ହଜାର ହଜାର ଶ୍ରଦ୍ଧାଳୁ ସାଧୁସନ୍ଥଙ୍କ ଗହଣରେ ନରେନ୍ଦ୍ର ଚକଡା଼ରେ ପହଞ୍ଚିବେ ଚନ୍ଦନ ଠାକୁର ।

ଶ୍ରୀରାମକୃଷ୍ଣ ଓ ମଦନମୋହନ, ଲକ୍ଷ୍ମୀ ସରସ୍ବତୀଙ୍କ ସହ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ୨୧ ବାର ଚାପ କ୍ରୀଡା କରିବେ । ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।