ସରିଲା ମହାମାୟାଙ୍କର ଭସାଣ ଉତ୍ସବ

ଭୁବନେଶ୍ବର: ବିଦାୟ ନେଲେ ମାଆ । ସରିଲା ମହାମାୟାଙ୍କର ଭସାଣ ଉତ୍ସବ। ଅସ୍ଥାୟୀ ପୋଖରୀରେ ମାଆଙ୍କୁ କରାଗଲା ବିସର୍ଜନ। କଟକରେ ବିଭିନ୍ନ ସାହି ପରିକ୍ରମା କରି ଦେବୀ ଗଡ଼ାକୁ ଯାଇଥିଲେ ଗୋଟିଏ ପରେ ଗୋଟିଏ ମେଢ଼। ଅଧିକାଂଶ ମେଢ଼ ରାଣୀହାଟ ମଙ୍ଗଳାବାଗ ଦେଇ ଦେବୀଗଡାକୁ ଯାଇଥିଲେ। ରାଜଧାନୀ ଭୁବନେଶ୍ବରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କୁଆଖାଇ ଓ ଦୟାନଦୀ କୂଳରେ ଖୋଳାଯାଇଥିବା ଅସ୍ଥାୟୀ ପୋଖରୀରେ ମାଆଙ୍କୁ ବିସର୍ଜନ କରାଯାଇଥିଲା ।

ଭୁବନେଶ୍ବରରେ ମୋଟ ୧୮୮ଟି ପୂଜା ମେଢ଼ ରହିଥିବାବେଳେ  ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭସାଣ କମିଟି ଦ୍ବାରା ମେଢ଼ ଗୁଡିକ ଶୋଭାଯାତ୍ରାରେ ଯାଇଥିଲା । ସୁରକ୍ଷା ଦୃଷ୍ଟିରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ମାଆଙ୍କୁ ବିସର୍ଜନ କରାଯାଇଥିଲା । ସେପଟେ ପୁରୀରେ ଗୋଷାଣି ମେଳଣ ଅନୁଷ୍ଠିତ ହୋଇଥିଲା । ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହୋଇଥିଲା। ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ ଏକାଦଶୀ ମହାଦୀପ ଉଠିବା ପରେ ମେଲାଣି ନେଇଥିଲେ ମାଆ ।