ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା: ବିଜେଡିର ରାଜଭବନ ଘେରାଉ, କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅତ୍ୟାଚାର ବିରୋଧରେ ରାଜରାସ୍ତାକୁ ଓହ୍ଳାଇଛି ବିଜୁ ଜନତା ଦଳ । ଆଜି ମହିଳା ବିଜେଡି ପକ୍ଷରୁ ରାଜଭବନ ଘେରାଉ କରାଯାଇଥିଲା । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ଏଥିରେ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେଡି । ସେପଟେ ଏହି ମାମଲାରେ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛି କଂଗ୍ରେସ ।

ପୋଲିସ କିପରି କରିବ ପୋଲିସ ବିରୋଧରେ ତଦନ୍ତ ?

ନିଲମ୍ବନ କ’ଣ ଅଲ୍ଟିମେଟ୍ ପନିସମେଣ୍ଟ ?

କାହିଁକି ନିରପେକ୍ଷତା ବଜାୟ ରଖିବାକୁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଉ ନାହାନ୍ତି ରାଜ୍ୟ ସରକାର ?

କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ବର୍ବରତା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ବିଜେଡିର ଶତାଧିକ କର୍ମୀ, ନେତା ଓ ମହିଳା ଓ୍ବିଙ୍ଗ ବିରାଟ ପଟୁଆରରେ ଆସି ରାଜଭବନ ଘେରାଉ କରିଛନ୍ତି । ମୋହନ ସରକାରକୁ ଶହେ ଦିନ ବିତିଲାଣି । ଏହି ଶହେ ଦିନ ଭିତରେ ରାଜ୍ୟର ଆଇନଶୃଙ୍ଖଳା ଭୁଶୁଡ଼ି ଯିବାର ଯଥେଷ୍ଟ ନଜିର ରହିଛି । ରଥଯାତ୍ରା ସମୟରେ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ ଦାସ ମାଡ଼ ମାରିଲେ । ସେ ସମୟରେ ୧୫ ଦିନ ଭିତରେ ଜିଲ୍ଲାପାଳ ସ୍ତରୀୟ ତଦନ୍ତ ରିପୋର୍ଟ ଆସିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିବୃତି ଦେଇଥିଲେ । ହେଲେ ଦୁଇ ମାସ ବିତି ଗଲାଣି । ନା ପ୍ରକାଶ ପାଇଲା ରିପୋର୍ଟ ନା ନ୍ୟାୟ ପାଇଲେ ବୈକୁଣ୍ଠ । ଏହା ପରେ ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଦେଲା ପୋଲିସ । ଏହି ସମ୍ବେଦନଶୀଳ ଘଟଣାରେ ବିରୋଧୀଙ୍କ ଚାପ ଯୋଗୁଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ହେଲେ ରାଜ୍ୟ ପୋଲିସର ଗୋଟେ ଶାଖା ଅନ୍ୟ ଏକ ଶାଖା ବିରୋଧରେ ନିରପେକ୍ଷ ତଦନ୍ତ କରିବା ନେଇ ସନ୍ଦେହ ଘନୀଭୂତ ହୋଇଛି ।  ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବରର ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରତପତ୍ର ପ୍ରଦାନ କରିଛି ବିଜେଡି । ଏହି ଆନ୍ଦୋଳନକୁ ବିଜେଡି ଗାଁ ଗାଁରେ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି ।

ସେପଟେ ଭରତପୁର ଘଟଣାକୁ ନେଇ ଯୁବ କଂଗ୍ରେସ ମୋହନ ସରକାର ବିରୋଧରେ କରିଛି ହଲ୍ଲା ବୋଲ । ନାରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ମୁଖ୍ୟମନ୍ତ୍ରୀ, ତୁରନ୍ତ ପଦରୁ ଇସ୍ତଫା ଦେବାକୁ ଦାବି କରିଛି ଯବୁ କଂଗ୍ରେସ । ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଘେରାଉ କରିବା ସହ ଟମାଟୋ ଓ ଅଣ୍ଡା ମାଡ କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜିରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ମାଡିଯାଇଥିଲେ ଶତାଧିକ ଯୁବ କଂଗ୍ରେସ କର୍ମୀ ଓ ନେତା । ଏହି ସମୟରେ ପୋଲିସ ଓ ଯୁବ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଦସ୍ତି ପରିସ୍ଥିତି ବି ସୃଷ୍ଟି ହୋଇଥିଲା । ସେପଟେ ଭରତପୁର ଥାନା ଘଟଣାକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।

ଭରତପର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ଆକ୍ସନ ମୁଡ଼କୁ ଆସିଛନ୍ତି ବିରୋଧୀ । ଶହେ ଦିନର ମୋହନ ସରକାର ନାରୀ ସୁରକ୍ଷା ଓ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ ହୋଇ ବ୍ୟାକଫୁଟରେ ରଖିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି ।