ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ । ଏହି ଅବସରରେ ଅଟଳଙ୍କୁ ମନେ ପକାଇଛନ୍ତି ଦେଶବାସୀ । ବିଭିନ୍ନସ୍ଥାନରେ ତାଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭାମାନ ଅନୁଷ୍ଠିତ ହୋଇଛି ।

ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ସଦେବ ଅଟଳ ସ୍ମାରକୀରେ ଅନୁଷ୍ଠିତ ହୋଇଥିଲା ସ୍ମୃତିସଭା । ଏଠାକୁ ରାଷ୍ଟ୍ରପତି ରାମନାତ କୋବିନ୍ଦ, ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୂର୍ବ ଉପ ପ୍ରଧାନମନ୍ତ୍ରୀ ଲାଲ କ୍ରିଷ୍ଣ ଆଡଭାନୀଙ୍କ ସମେତ ବହୁ ନେତା ଆସି ଅଟଳଙ୍କ ଉଦ୍ଦେଶ୍ୟରେ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଅଟଳଙ୍କ ଜୟନ୍ତୀ ଅବସରରେ  ଲକ୍ଷ୍ମୌ ଲୋକ ଭବନ ଠାରେ ୨୫ଫୁଟ ଉଚ୍ଚର ବ୍ରୋଞ୍ଜ ନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ।

ଏଥିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପସ୍ଥିତ ରହିବେ । ଏହାଛଡ଼ା, ମୋଦୀ ଉତ୍ତର ପ୍ରଦେଶରେ ‘ଅଟଳବିହାରୀ ବାଜପେୟୀ ମେଡିକାଲ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ କରିବେ । ଏଥିନିମନ୍ତେ ୫୦ ଏକର ଜମି ହସ୍ତାନ୍ତର କରିବାକୁ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି ।

୧୯୯୬ ମସିହାରେ ଅଟଳବିହାରୀ ବାଜପେୟୀ ପ୍ରଥମେ ସ୍ୱଳ୍ପ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତା’ପରେ ସେ ୧୯୯୮ରୁ ୨୦୦୪ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୫ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରିଥିଲେ । ବାଜପେୟୀଙ୍କ ଜନ୍ମଦିବସ ଡିସେମ୍ବର ୨୫ ତାରିଖକୁ ‘ଗୁଡ୍‌ ଗଭର୍ଣ୍ଣାନାନ୍‌ସ୍‌ ଡେ’ ଭାବେ ପାଳନ କରାଯାଏ ।

୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଗ୍ଵାଲିଅର୍‌ରେ ଜନ୍ମିତ ବାଜପେୟୀ ୧୮ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୫୭ ଏବଂ ୨୦୦୯ ମଧ୍ୟରେ ସେ ୧୦ ଥର ପାର୍ଲାମେଣ୍ଟ୍‌କୁ ନିର୍ବାଚିତ ହୋଇଥିଲେ ।

Leave a Reply