ଆଜି ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେବେ ଭାରତ ପେ’ ସହପ୍ରତିଷ୍ଠାତା ଅସନିର ଗ୍ରୋଭର ଓ ପତ୍ନୀ ମାଧୁରୀ ଜୈନ

ନୂଆଦିଲ୍ଲୀ: ୮୧ କୋଟି ଟଙ୍କାର ଆର୍ଥିକ ଘୋଟାଲା । ମଙ୍ଗଳବାର ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେବେ ଭାରତ ପେ ସହପ୍ରତିଷ୍ଠାତା ଅସନିର ଗ୍ରୋଭର ଓ ପତ୍ନୀ ମାଧୁରୀ ଜୈନ । ଦିଲ୍ଲୀ ମନ୍ଦିର ମାର୍ଗସ୍ଥିତ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ କାର୍ଯ୍ୟାଳୟରେ ସେମାନେ ଜେରାର ସମ୍ମୁଖୀନ ହେବେ । ଗତ ଗୁରୁବାର ଅସନିର ଓ ପତ୍ନୀ ନ୍ୟୁୟର୍କ ଯିବାକୁ ଉଦ୍ୟମ କରୁଥିବାବେଳେ ଦିଲ୍ଲୀ ବିମାନ ବନ୍ଦରରେ ସେମାନଙ୍କୁ ଅଟକ ରଖାଯାଇଥିଲା । ଅର୍ଥନୈତିକ ଅନିୟମିତତା ନେଇ ଗତ ମେ ମାସରେ ଅସନିର, ପତ୍ନୀ ମାଧୁରୀ, ପରିବାର ସଦସ୍ୟ ଦୀପକ ଗୁପ୍ତା, ସୁରେଶ ଜୈନ ଓ ଶ୍ବେତାଙ୍କ ଜୈନଙ୍କ ନାମରେ ଅର୍ଥନୈତିକ ଅପରାଧ ଶାଖା ମାମଲା ଦାୟର କରିଥିଲା ।

ଜାଲିଆତି କରି ଅଭିଯୁକ୍ତମାନେ ୮୧ କୋଟି ୩୦ ଲକ୍ଷ ଟଙ୍କା ବିଭିନ୍ନ ଜାଲ୍ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଫଳରେ କମ୍ପାନି କ୍ଷତିଗ୍ରସ୍ତ ହୋଇଥିବା ବୋଲି ଭାରତ ପେ ପକ୍ଷରୁ ଅଭିଯୋଗ ହୋଇଥିଲା । ଗତ ନଭେମ୍ବର ୭ ତାରିଖରେ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା ଇଓଡବ୍ଲୁ । ଯଦି କୋର୍ଟରେ ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କୁ ୧୦ ବର୍ଷରୁ ଆଜୀବନ ଜେଲଦଣ୍ଡ ମିଳିବା ଆଶଙ୍କା ରହିଛି । ଗତ ଡିସେମ୍ବର ୨୦୨୨ରେ ବି ଗ୍ରୋଭର ପରିବାର ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ସିଭିଲ ସୁଟ୍ ଦାୟର କରିଥିବା ଭାରତ ପେ । ଠକେଇ ମାମଲାରେ ୮୮ କୋଟି ୬୭ ଲକ୍ଷ ଟଙ୍କାର କ୍ଷତିପୂରଣ ଲାଗି ସିଭିଲ ସୁଟରେ କରାଯାଇଥିଲା ଆବେଦନ । ଗତ ୨୦୨୨ ମାର୍ଚ୍ଚରେ ଏମଡି ପଦରୁ ଇସ୍ତଫା ଦେଇଥିଲେ ଅସନିର ।