ବିହାର : ହାରିନାହିଁ ମନୋବଳ, ପାଖରେ ନାହିଁ ଟଙ୍କା କି ଲୋକ ବଳ,ତଥାପି ୭୨ ବର୍ଷରେ ଲଢୁଛନ୍ତି ନିର୍ବାଚନ

ପାଟନା: ରାଜନୀତି ଶବ୍ଦଟି ପାଟିରେ ଧରିଲେ, ଆଖି ଆଗରେ ଭାସି ଆସେ ଟଙ୍କା, ବ୍ୟୟବହୁଳ ନିର୍ବାଚନୀ ସଭା ଏବଂ ଧୋବ ଧାଉଳିଆ ନେତା । ଟଙ୍କା ପାଖରେ ନାହିଁ ତ ଭୋଟ ଲଢିବା କଥା କେହି ଭାବନ୍ତି ନାହିଁ । ଦିନ ଗଡିବା ସହ ନିର୍ବାଚନ ରାଜନୀତି ବ୍ୟୟବହୁଳ ହେବାରେ ଲାଗିଛି । ଯଦି ବିହାର କଥା ଦେଖିବା, ତେବେ ନିର୍ବାଚନରେ ଟଙ୍କା ଆଉ ବାହୁ ବଳ ହିଁ ପ୍ରାଥମିକତା ହୋଇଥାଏ । ହେଲେ ଏ ସବୁ ଭିତରେ ବି କିଛି ଭଲ ଖବର ରହିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଲକ୍ଷୀସରାଇ ଅଞ୍ଚଳର ଭରତ ମହତୋ । ବୟୟ ୭୨ ବର୍ଷ । ଚମ ଧୁଡୁ ଧୁଡୁ ହୋଇ ଗଲାଣି । ଚାଲିବାକୁ କଷ୍ଟ ହେଉଛି । ହେଲେ ମନୋବଳ ଭାଙ୍ଗିନି । ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ଉପରେ ଭରସା ଅଛି । ଟଙ୍କା, ପଇସାର ଲଢେଇରେ ଜିତିପାରିବେ ନାହିଁ ସତ । ହେଲେ ଭାଗ ତ ନେଇ ପାରିବେ । ପୂର୍ବରୁ ପଞ୍ଚାୟତସ୍ତରରେ ଭୋଟ ଲଢିଥିବା ମହତୋ ଚଳିତଥର ବିଧାୟକ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି ।

ସମ୍ବଳ ବୋଇଲେ ସେମିତି କିଛି ନାହିଁ । ପାଖରେ ଫୋନ ଖଣ୍ଡେ ନାହିଁ । ଘରେ କୋଉଗୋଟେ ମାନ୍ଧାତା ଅମଳର ଛୋଟ ଫୋନଟି । ସେଥିରେ ବାଲାନ୍ସ ପଡୁଛି ନା ନାହିଁ, ତାହା ମା’ ଗଙ୍ଗେଇକୁ ଜଣା । ପ୍ରାର୍ଥୀପତ୍ର ଦାଖଲ ସମୟରେ ଫୋନ ନମ୍ବର ଥିବା ସ୍ଥାନରେ ନିଜ ଶଢୁ ନମ୍ବର ଦେଇଥିଲେ ମହତୋ । ଘରେ ଥିବା ଫୋନ କେତେବେଳେ ମଜୁରୀ କାମ ପାଇଁ ବ୍ୟବହାର କରି ଥାଆନ୍ତି । ତଥାପି ହାର ମାନି ନାହାନ୍ତି ।

ମହତୋ ଲଢୁଥିବା ଆସନରେ ମୋଟ ୨୦ ଜଣ ନାମାଙ୍କନ ଦାଖଲ କରିଥିଲେ । ତନ୍ମଧ୍ୟରୁ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଗଲା । ମଇଦାନରେ ଏବେ ୧୯ ଜଣ ପ୍ରାର୍ଥୀ । । ମହତୋଙ୍କ ସମେତ ମୋଟ ୧୩ ଜଣ ସ୍ୱାଧୀନ ପ୍ରାର୍ଥୀ ଏହି ଆସନରେ ଲଢୁଛନ୍ତି । ଏଠାରୁ ବିଜେପି, ଜନ ଅଧିକାର ପାର୍ଟି, ବିଏସପି,ଆଜପାଏବଂ ପ୍ଲୁରାଲ୍ସ ପାର୍ଟି ପ୍ରାର୍ଥୀ ମଧ୍ୟ ଲଢୁଛନ୍ତି ।

 

 

Leave a Reply