ଭାରତ ଯୋଡ ଯାତ୍ରା ପରେ ଭାରତ ଯୋଡ ବିବାହକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା
1 min read
ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ଭାରତ ଯୋଡ ଯାତ୍ରା ସାରା ଦେଶରେ ସୃଷ୍ଟି କରିଥିଲା ରାଜନୈତିକ ଉତ୍ସାହ। ଦେଇଥିବା ଏକତାର ବାର୍ତ୍ତା। ଦକ୍ଷିଣରୁ ଉତ୍ତର, ପୂର୍ବରୁ ପଶ୍ଚିମ- ସାରା ଦେଶରେ ସୃଷ୍ଟି କରିଥିଲା ସଂହତିର ବାର୍ତ୍ତା । ତେବେ ଭାରତ ଯୋଡ ଯାତ୍ରାକୁ ନେଇ ଯେପରି ଚର୍ଚ୍ଚା ଚାଲିଥିଲା ବର୍ତ୍ତମାନ ଭାରତ ଯୋଡ ବିବାହକୁ ନେଇ ସେତିକି ଚର୍ଚ୍ଚା ଚାଲିଛି। ଏହି ବିବାହ ହେଉଛି ଅଭିଳାଷା କୋତଓ୍ବାଲ ଓ ବିନାଲ ଓ୍ବିଲିୟମଙ୍କ ମଧ୍ୟରେ । ରାହୁଲ ଗାନ୍ଧୀ ନେତୃତ୍ବାଧୀନ ଭାରତ ଯୋଡ ଯାତ୍ରାରେ ଅନୁପ୍ରାଣିତ ହୋଇ ଅଭିଳାଷ ଓ ଓ୍ବିଲିୟମଙ୍କ ମଧ୍ଯରେ ଏହି ବିବାହ ଅନୁଷ୍ଠିତ ହେଉଛି।
ବଡ଼କଥା ହେଉଛି ଅଭିଳାଷା ଜାମ୍ମୁ ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଓ୍ବିଲିୟମ ପଞ୍ଜାବ ଓ କେରଳର । ନିମନ୍ତ୍ରଣ ପତ୍ରରେ ଅଭିଳାଷା ନିଜକୁ ଜାମ୍ମୁ ଓ ପଶ୍ଚିମବଙ୍ଗର ସୁକନ୍ୟା ବୋଲି ଦର୍ଶାଇଥିବାବେଳେ ଓ୍ବିଲିୟମଙ୍କୁ ପଞ୍ଜାବ ଓ କେରଳର ସୁପୁତ୍ର ବୋଲି ଦର୍ଶାଯାଇଛି । ବିବାହର ନାମ ରଖାଯାଇଛି ଭାରତ ଯୋଡ ବିବାହ । ଉତ୍ସବକୁ ସ୍ବତନ୍ତ୍ର ଭାବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଡରେ ଦେଶର ଏକତା, ନ୍ୟାୟ ଓ ସଂହତି ପ୍ରତି ଗାନ୍ଧୀ ପରିବାରର ରହିଥିବା ଅଙ୍ଗୀକାରକୁ ଉଲ୍ଲେଖ କରାଯାଇଛି ।
ଭାରତ ଯୋଡ ଯାତ୍ରା ଯେପରି ସୀମା, ସରହଦ ନିର୍ବିଶେଷରେ ଭାରତୀୟତାକୁ ଉଦବୁଦ୍ଧ କରିଥିଲା ଠିକ୍ ସେହି ଆଦର୍ଶ ଅନୁସାରେ ଏହି ବିବାହ ହେଉଛି। ଏହି ବିବାହ ଉତ୍ତରପ୍ରଦେଶ ନୋଏଡାରେ ଆଜି ଅନୁଷ୍ଠିତ ହେବ। ଏହି ବିବାହର ବାସ୍ତବ ଆଦର୍ଶ ଅତ୍ୟୁଚ୍ଚରେ ବୋଲି ଚର୍ଚ୍ଚା ଚାଲିଛି। ନିମନ୍ତ୍ରଣ କାର୍ଡ ବି ଭାରତ ଯୋଡ ଯାତ୍ରା ପୋଷ୍ଟର ପରି ଚିତ୍ରଣ କରାଯାଇଛି। ପ୍ରିୟଙ୍କା ଗାନ୍ଧୀଙ୍କ ବିବାହ ବେଳେ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଥିଲେ ଅଭିଳାଷାଙ୍କ ମା। ଝିଅଙ୍କ ବିବାହ ଲାଗି ଅଭିଳାଷାଙ୍କ ମା ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ତାଙ୍କ ଘରେ ପହଞ୍ଚି କାର୍ଡ ଦେଇଥିବା ସୂଚନା ମିଳିଛି। କେବଳ ସୋସିଆଲ ମିଡିଆରେ ନୁହେଁ ରାଜନୈତିକ ସ୍ତରରେ ବି ଏହି ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୧ ଓ ୨୨ ତାରିଖରେ ବିବାହ ଉତ୍ସବ ନେଇ କାର୍ଡରେ ଦର୍ଶାଯାଇଛି।