ବ୍ରାଜିଲ କମ୍ପାନୀ ସହ ଭାରତ ବାୟୋଟେକ୍‌ର ଚୁକ୍ତି ବାତିଲ: ଆଉ ବିଦେଶ ଯିବନି ଦେଶୀ ଟିକା

ନୂଆଦିଲ୍ଲୀ: କୋଭାକ୍ସିନ ଯୋଗାଣ ନେଇ ବ୍ରାଜିଲର ଦୁଇଟି କମ୍ପାନୀ ସହ ହୋଇଥିବା ବୁଝାମଣା ଚୁକ୍ତିକୁ ବାତିଲ କରିଛି ଭାରତ ବାୟୋଟେକ । ୨୦ ନିୟୁତ କୋଭାକ୍ସିନ ଡୋଜ ଯୋଗାଣ ନେଇ ଏହି ଦୁଇ କମ୍ପାନୀ ସହ ୩୨୪ ନିୟୁତ ଡଲାରର ରାଜିନାମା ଗତ ବର୍ଷ ନଭେମ୍ବରରେ ହୋଇଥିଲା । ଏହି ଦୁଇ କମ୍ପାନୀ ହେଲେ ପ୍ରେକିସା ମେଡିକାମେଣ୍ଟସ ଓ ଏନଭିକ୍ସିଆ ଫାର୍ମାସ୍ୟୁଟିକାଲ୍ସ । ଏହି ଚୁକ୍ତି ନେଇ ବିଭିନ୍ନ ଅଭିଯୋଗ ଆସିବା ସହ ରାଜନୈତିକ ସ୍ତରରେ ତମ୍ବିତୋଫାନ ସୃଷ୍ଟି ହେବା ସହ ଚୁକ୍ତିର ତଦନ୍ତ ଚାଲିବା ପରେ ଭାରତ ବାୟୋଟେକ ଏହି ପଦକ୍ଷେପ ନେଇଛି । ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି, ଯଦିଓ ଦୁଇ କମ୍ପାନୀ ସହ ଚୁକ୍ତି ବାତିଲ ହୋଇଛି ତଥାପି ବ୍ରାଜିଲର ଔଷଧ ନିୟାମକ ସଂସ୍ଥା ଆନଭିସା ସହ କମ୍ପାନୀ କାର୍ଯ୍ୟ କରିବ । ବିଭିନ୍ନ ଆଇନଗତ ପରିସର ମଧ୍ୟରେ ଅନ୍ୟ ଦେଶକୁ କମ୍ପାନୀ ଟିକା ଯୋଗାଇ ଏକ ବଳିଷ୍ଠ ଭୂମିକା ନିର୍ବାହ କରିଆସିଛି । ଦୁଇ କମ୍ପାନୀ ସହ ହୋଇଥିବା ଚୁକ୍ତି ମୂଳରେ କୌଣସି ତ୍ରୁଟି ହୋଇନାହିଁ ବୋଲି ଗତ ମାସରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା । ଚୁକ୍ତି ସମୟରେ କେତେକ ଆର୍ଥିକ କାରବାରକୁ ନେଇ ଚାପ ପ୍ରୟୋଗ କରାଯାଇଥିଲା ବୋଲି ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ କର୍ମକର୍ତ୍ତା ଅଭିଯୋଗ ଆଣିବା ପରେ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । ବ୍ରାଜିଲର ଫେଡେରାଲ ପ୍ରସିକ୍ୟୁଟର ଓ ଏକ ସିନେଟ ପ୍ୟାନେଲ ଘଟଣାର ତଦନ୍ତ କରୁଛନ୍ତି । ଅଧିକ ଦର, ତୁରନ୍ତ କାର୍ଯ୍ୟସିଦ୍ଧି ଲାଗି ଆଗ୍ରହ ଆଦି କାରଣକୁ ନେଇ ସସପେନସ ପ୍ରକାଶ ପାଇଥିଲା । ତେବେ ଏହି ଅଭିଯୋଗକୁ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ଅଗ୍ରାହ୍ୟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପ୍ରେମିକ ଫେରାର: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

 

Leave a Reply