ଭାରତ ବନ୍ଦ୍‌ରେ ଅଟକିଲା ଦିଲ୍ଲୀ, ଗୁରୁଗ୍ରାମ- ନୋଏଡା ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍ ଜାମ୍

1 min read

ନୂଆଦିଲ୍ଲୀ: କଳା କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ । ୨୧ ଦଫା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ହେଉଛି । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ୍ ପଡିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଦିଲ୍ଲୀ ସୀମାରେ ଚାଷୀ ଧାରଣା ଦେବା ସହ ଗାଜିପୁର ସୀମା ପାଖରେ ବସିଥିବା ଚାଷୀମାନେ ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିଛନ୍ତି ।

ଦିଲ୍ଲୀ-ଅମୃତସର ହାଇଓ୍ବେ ସହ ଦିଲ୍ଲୀ-ମେରଠ ହାଇଓ୍ବେକୁ ମଧ୍ୟ ଚାଷୀମାନେ ବନ୍ଦ କରିଛନ୍ତି । ଚାଷୀ ଆନ୍ଦୋଳନ ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଦିଲ୍ଲୀରୁ ଯାଉଥିବା ଅନେକ ଟ୍ରେନକୁ ରେଳ ବିଭାଗ ପକ୍ଷରୁ ବାତିଲ କରିଦିଆଯାଇଛି । ହରିୟାଣାର ବାହାଦୂରଗଡ଼ରେ ଚାଷୀମାନେ ରେଳଧାରଣା ଉପରେ ବସି ଆନ୍ଦୋଳନ ଚଳାଇଛନ୍ତି । ସେପଟେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ମେଟ୍ରୋ ଟ୍ରେନ୍ କର୍ପୋରେସନ ପକ୍ଷରୁ ଏକ ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଛି ।

ପଞ୍ଜାବ କଂଗ୍ରେସ ପକ୍ଷରୁ ଚାଷୀଙ୍କ ଭାରତ ବନ୍ଦକୁ ସମର୍ଥନ ଦିଆଯାଇଥିବା ବେଳେ ଉତ୍ତରପ୍ରଦେଶର ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇଛି। ତିନି କୃଷି କାନୁନ ପ୍ରତ୍ୟାହାର ଦାବିରେ ବର୍ଷେ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି । ଖରା, ବର୍ଷା, କାକରରେ ଚାଷୀ ଆନ୍ଦୋଳନ ଚଳାଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ତେବେ କଳା ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ୧୦ବର୍ଷ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ କହିଛନ୍ତି ।

ଅନ୍ୟପଟେ ଭାରତ ବନ୍ଦ ପାଳନ ବେଳେ ଅଘଟଣ । ଦିଲ୍ଲୀ-ହରିୟାଣାର ସିଂଘୁ ସୀମାରେ ଜଣେ ଆନ୍ଦୋଳନରତ ଚାଷୀଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସରକାରଙ୍କ ୩ କଳା କୃଷି ଆଇନକୁ ବିରୋଧ କରି ଚାଷୀ ବର୍ଷେ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଦେଶ ବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆନ୍ଦୋଳନ ସ୍ଥଳରେ ହିଁ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ହୃଦଘାତରେ ଚାଷୀଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ।

Leave a Reply