କେନ୍ଦ୍ରର ଜନମାରଣ ନୀତି ବିରୋଧରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ଭାରତ ବନ୍ଦ ଡାକରା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ଯୁଦ୍ଧଂ ଦେହୀ ଡାକରା । ପଛୁଆ ବର୍ଗଙ୍କ ଦାବି ପୂରଣ ନ କରିବା ନେଇ ତାତିଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା । ଆଜି ଭାରତ ବନ୍ଦ ଡାକରା ଦେଇଛି ମୋର୍ଚ୍ଚା । ଜାତୀୟ ନାଗରିକ ରେଜିଷ୍ଟର ବିରୋଧରେ ବି ଗର୍ଜିଛି ସଂଘ । ଦେଶରେ ଏନଆରସି ବିରୋଧୀ ଆନ୍ଦୋଳନକୁ ତୀବ୍ରତର କରିବା, ଜାତିଭିତ୍ତିକ ଜନଗଣନା, ପଛୁଆ ବର୍ଗଙ୍କ ଲାଗି ୫୨ ପ୍ରତିଶତ ସଂରକ୍ଷଣ ଆଦି ଦାବିରେ ଏହି ବନ୍ଦ ପାଳନ କରାଯାଉଛି ।
ଏହା ସହ ଇଭିଏମ ହଟାଓ ଗଣତନ୍ତ୍ର ବଞ୍ଚାଓ, ଶ୍ରମିକ ବିରୋଧୀ ଆଇନ ହଟାଇବା, ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଲାଗି ଦାବି କରାଯାଇଛି । ସେହିପରି ଉଦାରୀକରଣ, ଘରୋଇକରଣ, ଜଗତୀକରଣ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ପତ୍ର ଲେଖିଛନ୍ତି ।
ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ସଜାଗ ରହିବା, ଜରୁରୀକାଳୀନ ସେବା ପ୍ରତି ଗୁରୁତ୍ବ ଦେବା ଲାଗି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଲୋକସେବା ଭବନ, ଖାରବେଳ ଭବନ, ରୀଜୀବ ଭବନ, ବିଭାଗୀୟ ମୁଖ୍ୟାଳୟ ଆଦିର ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀଙ୍କ ପରିଚୟ ପତ୍ର, ପାସ୍ ଆଦି ଯାଞ୍ଚ କରିବା ସହ ଭିଜିଟରଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।