ଧାନ କିଣିବାକୁ ମନା କରିବାରୁ ହୃଦଘାତରେ ଚାଷୀଙ୍କର ଚାଲିଗଲା ଜୀବନ
1 min readଭଞ୍ଜନଗର : ବିଜେପି ସରକାରଙ୍କ ପ୍ରତିଶୃତି ପାଲଟିଛି ପାଣିରଗାର । ଥମୁନି ଚାଷୀ ଯନ୍ତ୍ରଣା । ମିଲରଙ୍କ ମନମାନିରେ ବଳି ପଡିଯାଉଛନ୍ତି ଅନ୍ନଦାତା । ସୁରୁଖୁରୁରେ ଧାନ ବିକ୍ରି ନହେବାରୁ ଅକାଳରେ ଚାଲିଯାଉଛି ଜୀବନ । ଧାନବିକ୍ରି ପାଇଁ ମଣ୍ଡି ଓ ମିଲରଙ୍କ ପାଖକୁ ବାରମ୍ବାର ଦୌଡି ନିରାଶ ହେବା ପରେ ଶେଷରେ ଆଜି ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ଯୁ ଘଟିଛି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଲେମ୍ଭାକୁମ୍ପା ଗାଁରେ । ମୃତ ଚାଷୀ ହେଲେ ଚାକୁଣ୍ଡା ଗାଁର ଗଣେଶ ବିଷୋୟୀ । ସୂଚନା ଅନୁସାରେ, ମିଲକୁ ଧାନ ବିକ୍ରି ପାଇଁ ନେଇଥିଲେ ଗଣେଶ । କିନ୍ତୁ ଧାନର ମାନ ଖରାପ ଥିବା କହି ଫେରାଇ ଦେଇଥିଲେ ମିଲର। ନିଜର ଅମଳ ଧାନକୁ ବିକ୍ରି କରିବା ପାଇଁ ବାରମ୍ବାର ଦୌଡ଼ି ନିରାଶ ହୋଇପଡ଼ିଥିଲେ । ଧାନବସ୍ତାକୁ ଗାଡ଼ିରୁ ଓଜନ କରାଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଗଣେଶ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗଣେଶଙ୍କ ମୃତ୍ଯୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ପୋଲିସ ଓ ପ୍ରଶାସନ ସହ ମିଶି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।…
ଏପଟେ ଗଣେଷଙ୍କ ମୃତ୍ଯୁକୁ ନେଇ ଆସିଛି ଚାଞ୍ଚଲ୍ଯକର ତଥ୍ଯ । ଗଣେଶଙ୍କ ଠାରୁ ପନ୍ଦର ବସ୍ତା ଧାନ ରଖି ବଳକା ଧାନ କେବଳ ଫେରାଇ ଦେଇ ନାହାନ୍ତି ମିଲର, ଅନ୍ଯ ଧାନକୁ ଫିଙ୍ଗା ଫୋପଡା କରି ଦେଇଥିବା ମୃତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନବିନ କରିବା ସହିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଆସିକା ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି l ଏଠି ପ୍ରଶ୍ନ ଉଠୁଛି ଚାଷୀ ମୃତ୍ଯୁରେ କେବେ ରୋକ ଲାଗିବ ? କେବେ ବନ୍ଦ ହେବ ମିଲରଙ୍କ ମନମାନୀ? କାହିଁକି ମିଲରଙ୍କ ଉପରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ? କେବେ ଶୃଙ୍ଖଳିତ ହେବ ଧାନ ଉଠାଣ ପ୍ରକ୍ରିୟା?