କଂଗ୍ରେସକୁ ତୃଣମୂଳ ସ୍ତରରୁ ସଂଜୀବନୀ ଦେବାକୁ ଭକ୍ତଙ୍କ ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଥର ଲାଗି ନୂଆ ଢାଞ୍ଚାରେ କଂଗ୍ରେସ ତୃଣମୂଳ ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି । ଜିଲ୍ଲା ମୁଖିଆ ଚୟନ ପୂର୍ବରୁ ବ୍ଲକ, ଏନଏସି, ମ୍ୟୁନିସିପାଲିଟି ସଭାପତି ଚୟନ କରିବାକୁ ପିସିସି ନିର୍ଦ୍ଦେଶ ଦେଇଛି । ଅଗଷ୍ଟ ୨୦ ସୁଦ୍ଧା ବ୍ଲକ ସଭାପତି ପାଇଁ ଜିଲ୍ଲା ସଂଯୋଜକମାନେ ବିଭିନ୍ନ ବର୍ଗର ୫ଟି ନାମ ଚୂଡାନ୍ତ କରି ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ମଧ୍ୟବର୍ତ୍ତୀକାଳୀନ ସଭାପତିମାନେ ଜିଲ୍ଲା ସଂଯୋଜକ ଭାବରେ ନାମିତ କରାଯିବା ପରେ ସଭାପତି ଚୟନ ପୂର୍ବରୁ କିପରି ବ୍ଳକ ସଭାପତି ଚୟନ କରାଯିବ ତାହାକୁ ନେଇ କଂଗ୍ରେସ ଅନ୍ଦର ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ମାହୋଲ ଅଛି ସଂଗଠନ ନାହିଁ । ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଫୋକସ କରିଛି କଂଗ୍ରେସ । ପ୍ରଥମଥର ଲାଗି ପ୍ରଥମେ ଜିଲ୍ଲା ସଭାପତି ବଦଳରେ ପ୍ରଥମେ ବ୍ଲକ, ଏନଏସି, ମ୍ୟୁନିସିପାଲିଟି ସଭାପତି ଚୟନ କରିବାକୁ ଅଣ୍ଟା ଭିଡିଛି ପିସିସି । ଏନେଇ ଜିଲ୍ଲା ସଂଯୋଜକମାନଙ୍କୁ ଗୁରୁ ଦାୟିତ୍ବ ଦେଇଛି ପିସିସି । ଅଗଷ୍ଟ ୨୦ ତାରିଖ ସୁଦ୍ଧା ବ୍ଲକ ଓ ନଗର କଂଗ୍ରେସ ସଭାପତି ପଦ ପାଇଁ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି, ମହିଳା ଓ ପଛୁଆ ବର୍ଗରୁ ମୋଟ ୫ ଜଣ ନାଁ ଚୂଡାନ୍ତ କରି ପିସିସିକୁ ୨୫ ଅଗଷ୍ଟ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି  ସୁପାରିସ କି ଲବି ନୁହେଁ । ଜିଲ୍ଲାସ୍ତରରୁ ଏଆଇସିସିର ଟିମ ଚୟନ କରିବେ ଜିଲ୍ଲା କଂଗ୍ରେସ ସଭାପତି । ପଡୋଶୀ ରାଜ୍ୟର କ୍ୟାବିନେଟ ଓ ପିସିସି ସ୍ତରର ଜଣେ ଜଣେ ନେତା ଜିଲ୍ଲା ଗସ୍ତରେ ଜିଲ୍ଲା ସଭାପତି ଚୟନ କରିବେ । ୨ ମାସ ମଧ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ତେବେ ଜିଲ୍ଲା ସଭାପତି ଚୟନ ପୂର୍ବରୁ କାହିଁକି ପ୍ରଥମେ ବ୍ଲକ ସଭାପତି ଚୟନ କରାଯିବ ସେ ନେଇ ଭିନ୍ନ ଯୁକ୍ତି ବାଢିଛନ୍ତି ପିସିସି ସଭାପତି ।

ପିସିସିର ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ଏଆଇସିସି ଓଡିଶାରେ ନୂଆ ଫର୍ମୁଲା ଆପଣାଇଛି । ନିର୍ବାଚନ ନୁହେଁ, ସିଲେକ୍ସନ ବେସିସରେ କମିଟି ଗଠନ କରାଯିବ । ସଂଗଠନ ସୂର୍ୟନ ନାମରେ ଅଭିଯାନ ଆରମ୍ଭ କରାଯିବ । ତେଣୁ ଅଧିକାଶ ଜିଲ୍ଲା ସଂଯୋଜକ ହିଁ ଜିଲ୍ଲା ସଭାପତି ହେବା ନିଶ୍ଚିତ ବୋଲି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । କଂଗ୍ରେସ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ ହାତକୁ ନେଇ ଚାଲିଥିବା ବେଳେ ତୃଣମୂଳସ୍ତରରେ କଂଗ୍ରେସ ସଂଗଠନ ଦୁର୍ବଳ ବୋଲି ରାଜନୈତିକ ସମୀକ୍ଷକ କେ. ରବି କହିଛନ୍ତି ।

ଦାୟିତ୍ବର ୭ ମାସ ପରେ ବି ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ସଂଗଠନକୁ ନୂଆରୂପ ଦେଇପାରିନାହାନ୍ତି । ୨୦୨୪ ନିର୍ବାଚନ ପରେ ପ୍ରଥମ ଥର ଲାଗି ଏଆଇସିସି ଓଡିଶାକୁ ଫୋକସ କରିଥିବାରୁ ରାଜ୍ୟ କଂଗ୍ରେସକୁ ଘାରିଛି ସଂଗଠନ ଚିନ୍ତା ।