ଆକ୍ସନ ମୋଡରେ ଭଗଓ୍ୱନ୍ତ ମାନ୍, ୧୨୨ ଭିଭିଆଇପିଙ୍କ ସିକ୍ୟୁରିଟି ପ୍ରତ୍ୟାହାର

ଚଣ୍ଡିଗଡ଼: ଆକ୍ସନ ମୋଡରେ ଭଗଓ୍ୱନ୍ତ ମାନ୍ । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ  ଆମ୍ ଆଦମୀ ପାର୍ଟି ନେତା ଭଗଓ୍ୱନ୍ତ ମାନ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧୨୨ ଜଣ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ ତଥା ଅନେକ ଭିଭିଆଇପିଙ୍କ ସିକ୍ୟୁରିଟି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ । ଏହି ନିଷ୍ପତ୍ତି ଯୋଗୁ କଂଗ୍ରେସ, ବିଜେପି, ଶିରୋମଣି ଅକାଳୀ ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ଆପ୍ ବିଧାୟକ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ବାଚସ୍ପତିଙ୍କ ଉପରୁ ସିକ୍ୟୁରିଟି ପ୍ରତ୍ୟାହାର ହୋଇଛି । ନୂଆ ନିଷ୍ପତ୍ତି ଯୋଗୁ ତତକାଳୀନ ଚନ୍ନି ସରକାରର ମନ୍ତ୍ରୀ ଅମରିନ୍ଦର ସିଂ ରାଜା ଓ୍ବାରିଂ ସୁରକ୍ଷା ମଧ୍ୟ ବାଦ୍ ପଡିଛି । ତାଙ୍କ ଲାଗି ସର୍ବାଧିକ ୨୧ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ଏହାସହ ପୂର୍ବତନ ବାଚସ୍ପତି ରାଣା କେ.ପି. ସିଂ, ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ, ପୂର୍ବତନ ହକି କ୍ୟାପଟେନ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ପରଗତ ସିଂ, ପୂର୍ବତନ ମନ୍ତ୍ରୀ ରାଣା ଗୁରୁଜିତ ସିଂ ମଧ୍ୟ ନୂଆ ନୀତିର ଶିକାର ହୋଇଛନ୍ତି । ପିସିସି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ତଥା ପୂର୍ବତନ ବିଧାୟିକା ନବଜୋତ କୌର ସିଦ୍ଧୁଙ୍କ ସୁରକ୍ଷା ବି ପ୍ରତ୍ୟାହାର ହୋଇଛି ।