ଦିଲ୍ଲୀ ଗସ୍ତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମାନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍  । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହିତ ରାଜ୍ୟରେ ଥିବା ଅନେକ ସମସ୍ୟାକୁ ଉତଥାପନ କରିଥିଲେ  । ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ ସରକାର ଗଢିଛି ଆମ ଆଦମୀ ପାର୍ଟି । ଚଳିତବର୍ଷ  ଅନୁଷ୍ଠିତ ଲହୋଇଥିବା ବିଧାନସଭା ନିର୍ବାଚନରେ ଆପ୍ ୯୨ ଆସନରେ ବାଜିମାତ୍ କରିବା ସହ ସଂଖ୍ୟାଗରିଷ୍ଠତା ସହ ସରକାର ଗଢିବାରେ ସମର୍ଥ ହୋଇଥିଲା  । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିବା ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥିଲେ  ।

ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ମାନ୍ ପ୍ରଥମଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି  । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗସ୍ତ କରିଛନ୍ତି  । ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ  । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଜ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିବା ନେଇ ସୂଚନା ଦେଇଛନ୍ତି  ।

ପଞ୍ଜାବର ଉନ୍ନତି ଏବଂ ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଏକାନ୍ତ ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି ଭଗୱନ୍ତ ମାନ୍  । ତେବେ ଏହି ମାନ୍ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ଅନେକ ବିଶିଷ୍ଟ ନେତାଙ୍କୁ ସକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି  । ମୋଦି କ୍ୟାବିନେଟର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କ ସହ ପଞ୍ଜାବର ବିକାଶ ନେଇ ଆଲୋଚନା କରିପାରନ୍ତି ଭଗୱନ୍ତ ମାନ୍  । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଭେଟ ହେବାର କାର୍ଯ୍ୟକ୍ରମ ରହିଛି  ।