4 ହଜାର ଚାଉଳରେ ଭଗବତ୍ ଗୀତା ଲେଖି ଗିନିଜ ଓ୍ୱାର୍ଲଡ ରେକର୍ଡ଼ କଲେ ଯୁବତୀ

ଆଜିର ଆଧୁନିକ ଯୁଗରେ ପୂଜାପାଠ ପ୍ରତି ଯୁବପିଢୀଙ୍କର ସ୍ପୃହା ଧୀରେ ଧୀରେ କମ୍ ହୋଇଯାଉଥିବା ବେଳେ ନିକଟରେ ନଜର ଆସିଛି ଧ୍ୟାନ ଆକର୍ଷଣ କରିବା ଭଳି ଏକ ଘଟଣା । ଯେଉଁଥିରେ ଜଣେ ଯୁବତୀଙ୍କର ଭଗବାନଙ୍କ ପ୍ରତି ଥିବା ଅହେତୁକ ଭକ୍ତି ନଜର ଆସିଛି । ୪ ହଜାର ଚାଉଳ ବ୍ୟବହାର କରି ସେ ଲେଖିଛନ୍ତି ଭଗବଦ୍ ଗୀତା ।
ହାଇଦ୍ରାବାଦର ରାମଗିରି ସ୍ୱରିକା । ନିଶା ତାଙ୍କର ଜଣେ ବିଚାରପତି ହେବା ଆଉ ମହିଳାମାନଙ୍କୁ ନ୍ୟାୟ ଦେବା । ଆଇନ ପାଠ ପଢୁଥିଲେ ମଧ୍ୟ ଈଶ୍ୱରଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି ଓ ପ୍ରେମ ଆଜି ତାଙ୍କୁ ଲୋକ ଲୋଚନକୁ ଆଣିଛି । କ୍ଷୁଦ୍ରାକୃତିରେ ନିଜର ଜ୍ଞାନକୌଶଳ ବ୍ୟବହାର କରି ସେ ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି। ୪୦୦୦ ଚାଉଳ ଉପରେ ସେ ଲେଖିଛନ୍ତି ଭଗବଦ୍ ଗୀତା । ଦେଖିବାକୁ ଖୁବ ସହଜ ମନେ ହେଉଥିବା ଏହି କ୍ଷୁଦ୍ରାକୃତି ପାଇଁ ସ୍ୱରିକାଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ିଥିଲା । କେବଳ ସେତିକି ନୁହେଁ ନିଜର ଇଛାଶକ୍ତି ଓ ଏକାଗ୍ରତା ପାଇଁ ସ୍ୱରିକା ଏହି ହିନ୍ଦୁ ଧର୍ମଗ୍ରନ୍ଥକୁ ଚାଉଳ ଉପରେ ଲେଖି ସମ୍ପର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି । ତେବେ ତାଙ୍କର ଏହି କ୍ଷୁଦ୍ରାକୃତି ଓ୍ୱାଣ୍ଡର ବୁକ ଅଫ ରେକର୍ଡ଼ସ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଛି । ନର୍ଥ ଡେଲି କଲଚରାଲ ଏକାଡେମୀ ତରଫରୁ ସ୍ୱରିକାଙ୍କୁ ଏଥିପାଇଁ ଫଷ୍ଟ ୟଙ୍ଗ୍ ଓ୍ୱମାନ ଆର୍ଟିଷ୍ଟର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ୨୦୧୬ରୁ କ୍ଷୁଦ୍ରାକୃତି କଳା ଆରମ୍ଭ କରିଥିବା ସ୍ୱରିକା ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ କ୍ଷୁଦ୍ରାକୃତି କାମ କରି ସାରିଛନ୍ତି ।