ପୋଖରୀରେ ବିଷ, ମରି ଭାସୁଛନ୍ତି ମାଛ

ଭୁବନେଶ୍ବର : ଗାଁ ପୋଖରୀରେ ବିଷ । ଦୁଇ ଦୁଇଟି ପୋଖରୀରେ ବିଷ ପକାଇଲେ ଲିଜଧାରୀ। ଯାହାକୁ ନେଇ ଗାଁରେ ଅସନ୍ତୋଷ ବଢିବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତରେ । ଜଗଦଳପୁର ଗୋପାଳି ଗ୍ରାମରେ ଥିବା ଦୁଇଟି ପଞ୍ଚାୟତ ପୋଖରୀରେ ହଜାର ହଜାର ସଂଖ୍ୟାରେ ମାଛ ମରି ଭାସୁଛନ୍ତି । ଗତକାଲି ରାତିରେ ପୋଖରୀ ଲିଜଧାରୀ ପୋଖରୀରେ ବିଷ ପକାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଚୁକ୍ତି ଅନୁଯାୟୀ କେହି ବ୍ୟକ୍ତି ପୋଖରୀରେ ବିଷ ପକାଇ ପାରିବେ ନାହିଁ। କିନ୍ତୁ ଚୁକ୍ତିକୁ ବେଖାତିର କରି ଲିଜାଧାରୀ ପୋଖରୀରେ ବିଷ ପକାଇଥିବା ଗ୍ରାମବାସୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ପୋଖରୀ ପାଣିକୁ ଦୂଷିତ କରିବାକୁ ଅପଚେଷ୍ଠା କରିଥିବା ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ତୁରନ୍ତ ପୋଖରୀ ପାଣୀକୁ ବିଶୁଦ୍ଧ କରିବାକୁ ଦାବୀ ହୋଇଛି। ଅନ୍ୟପଟେ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମରେ ଲୋକଙ୍କୁ ପୋଖରୀ ଜଳ ବ୍ୟବହାର ନକରିବାକୁ ବ୍ୟାନର ଓ ନାଲି ପତାକା ଲଗା ଯାଇଥିବା କହିଛନ୍ତି ଜଗଦଳପୁର ସରପଞ୍ଚ । ଏଥି ସହିତ ଦୁଇଟି ପୋଖରୀକୁ କିପରି ତୁରନ୍ତ ବିଶୁଦ୍ଧ କରାଯିବ ସେଥିନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ସରପଞ୍ଚ।