ରିକ୍ସା ଚାଳକଙ୍କ ପୁଅ ହେବେ ଡାକ୍ତର: ୬୦୯ ନମ୍ୱରରେ ରହି ନିଟ୍ ପରୀକ୍ଷାରେ ହାସଲ କଲେ ସଫଳତା

ଭଦ୍ରକ: ବାଟ ଓଗାଳି ପାରିଲାନି ପ୍ରତିକୂଳ ପରିସ୍ଥିତି । ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ଅସମ୍ଭବ ହେଲା ସମ୍ଭବ । ନିରନ୍ତର ପ୍ରୟାସ ଯୋଗୁଁ ସଫଳତା ପାଇଲେ ଭଦ୍ରକର ଛାତ୍ର ମୁର୍ସିଦ । ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହାସଲ ସହ ନିଜ ପରିବାର ସାଉଁଟି ପାରିଛନ୍ତି ଖୁସି ।

ଭଦ୍ରକ ପୁରୁଣା ବଜାରର ମୁର୍ସିଦ ଖାନ । ସ୍ୱପ୍ନ ଥିଲା ଡାକ୍ତର ହେବା । କିନ୍ତୁ ବାଟ ଓଗାଳିଥିଲା ପରିବାରର ଅଭାବ ଓ ଅନଟନ । ୪ ପୁଅ ଓ ୨ ଝିଅ ସମେତ ବାପ ମାଆଙ୍କୁ ମିଶାଇ ୮ଜଣିଆ ପରିବାରରେ ବାପା ହେଉଛନ୍ତି ଏକମାତ୍ର ଆୟକାରୀ ବ୍ୟକ୍ତି । ବାପା ମୈରାଜ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରିବା ସହ ପୁଅ ଝିଅ ପାଠ ପଢ଼ା ଖର୍ଚ୍ଚ ମଧ୍ୟ ବହନ କରନ୍ତି । ଏଭଳି ଅଭାବ ଭିତରେ ମଧ୍ୟ ମୁର୍ସିଦ ଆଶା ଥିଲା ଡାକ୍ତର ହେବେ । ହେଲେ ୨୦୦୭ ରେ ମୁର୍ସିଦଙ୍କ ସ୍ୱପ୍ନର ଜୁଆରରେ ଭଟ୍ଟା ପଡ଼ିଥିଲା । ଯେତେବେଳେ ତାଙ୍କ ବାପାଙ୍କ ଦୁର୍ଘଟଣା ଘଟିଥିଲା । ଏବଂ ସେ  ରିକ୍ସା ଚଳାଇବାକୁ ଅସମର୍ଥ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମୈରାଜଙ୍କ ବଡ଼ ଭାଇ ସମ୍ଭାଳିଥିଲେ ପରିବାର ବୋଝ । ତଥାପି ସୁଧୁନି ଥିଲା ସ୍ଥିତି କିନ୍ତୁ ଭାଙ୍ଗିନ ଥିଲା ଡାକ୍ତର ହେବାର ସ୍ୱପ୍ନ । ଆଉ ଜାରି ରହିଥିଲା  ପ୍ରୟାସ । ଆଉ ଏହାର ଫଳ ସ୍ୱରୂପ ମୁର୍ସିଦ ନିଟ୍ ପରୀକ୍ଷାରେ ୬୦୯ ରାଙ୍କ କୃତକାର୍ଯ୍ୟ ହେବା ସହ ସର୍ବଭାରତୀୟ ସ୍ତରରେ ୧୫ ହଜାର ୨୩୯ ରାଙ୍କ୍ ହାସଲ କରି ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବା ପାଇଁ ମନୋନୀତ ହୋଇଛନ୍ତି । ଯାହାକୁ ନେଇ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଖୁସି ଦେଖିବାକୁ ମିଳିଛି । ଏବଂ ଡାକ୍ତର ମୁର୍ସିଦଙ୍କ ଡାକ୍ତର ହେବାର ସ୍ୱପ୍ନ ସାକାର ହେବାକୁ ଯାଉଛି ।

 

 

Leave a Reply