ବନ୍ଦ ହୋଇପଡିଛି ରାହାପିତା ପାର୍କ, ଜଙ୍ଗଲ ପାଲଟିଗଲାଣି ପାର୍କ ପରିସର

ଭଦ୍ରକ : ପାର୍କରେ ଝୁଲୁଛି ତାଲା । ଜଙ୍ଗଲ ପାଲଟିଗଲାଣି ପାର୍କ ପରିସର । ଏ ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଅନ୍ତର୍ଗତ ରାହାପିତା ପାର୍କର ଦୃଶ୍ୟ । ପୂର୍ବ ସରକାରଙ୍କ ସମୟରେ ମୁକ୍ତା ଯୋଜନାରେ ୩୨ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା ଏହି ପାର୍କ । ସ୍ଥାନୀୟ ଲୋକ ଓ ଛୋଟ ପିଲା ପାର୍କର ବେଶ ମଜା ନେଉଥିଲେ । ମାତ୍ର ଦୀର୍ଘ ମାସ ହେବ ଏହି ପାର୍କକୁ ବନ୍ଦ କରି ଦିଆଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ପରିସର ବିଭିନ୍ନ ଲତାବୁଦାରେ ପରିପୂର୍ଣ୍ଣ ହୋଇଗଲାଣି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।..

ରାହାପିତା ପାର୍କରେ ଫୁଟ ୱାକ ଟ୍ରାକ, ବ୍ୟାୟାମ ପାଇଁ ଓପନ ଜିମ ଉପକରଣ ସହ ପିଲାଙ୍କ ଖେଳକୁଦ ପାଇଁ ବହୁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଗେଟରେ ତାଲା ଝୁଲୁଥିବାରୁ କେହି ଭିତରକୁ ଯାଇ ପାରୁ ନାହାଁନ୍ତି । ଅନ୍ଯପଟେ ପାର୍କକୁ ୭ ଦିନ ଭିତରେ କାର୍ଯ୍ଯକ୍ଷମ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କ ନିର୍ମାଣ କରୁଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନିକ ଉଦାସୀନତା କାରଣରୁ ତାହା ଲୋକଙ୍କ କାମ ଆସୁନି । ତେବେ କେବେ ରାହାପିତା ପାର୍କ ଲୋକଙ୍କ ପାଇଁ ଖୋଲୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।