spot_img

Latest Posts

PM ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଭଦ୍ରକ ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଦାବି କଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ  । ଓଡ଼ିଶାରେ ଅନେକ ଗରିବ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନେ ଭଙ୍ଗା କଚା ଘରେ ରହୁଛନ୍ତି। ଅନେକ ଫନି ପରି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ନିଜର ବାସ ହରାଇଛନ୍ତି । ଉକ୍ତ ଯୋଜନାରେ କେନ୍ଦ୍ର ସରକାରଙ୍କ ଆହ୍ୱାନ “୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘର” । ଏହି ଯୋଜନାକୁ ସଫଳ କାର୍ଯ୍ୟକାରୀ କରିବା ପାଇଁ ଉଦ୍ଧିଷ୍ଟ ପୋର୍ଟାଲ୍ (ଆବାସ ପୋର୍ଟାଲ୍) କେନ୍ଦ୍ର ସରକାରଙ୍କ ଦ୍ଵାରା ବନ୍ଦ ଥିବାରୁ ଉପଯୁକ୍ତ ଗରିବ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି।

ପ୍ରକାଶ ଥାଉକି, ଓଡ଼ିଶାରେ ଆବାସ ପ୍ଲସ ଓ ରାଜ୍ୟ ଗୃହ ଉନ୍ନୟନ ପୋର୍ଟାଲ୍ ମାଧ୍ୟମରେ ପ୍ରାୟ ୬.୬୫ ଲକ୍ଷ ଗରିବ ପରିବାର ଓ ୧.୮୪ ଲକ୍ଷ ଫନି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଗରିବ ପରିବାରକୁ ଯୋଗ୍ୟ ହିତାଧିକାରି ଭାବେ ଚିହ୍ନଟ କରାଯାଇଛି ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରାୟ ୫୭,୧୯୦ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାରେ ଅନ୍ତର୍ଭକ୍ତ କରାଯାଇଛି, ଯେଉଁମାନେ କି, ଅର୍ଥ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଛନ୍ତି ।

ଏହି ସମସ୍ତ ତଥ୍ୟକୁ ଆଧାର କରି ତୁରନ୍ତ ଆବାସ ପୋର୍ଟାଲ୍ ଖୋଲି ସମସ୍ତ ହିତାଧିକାରୀଙ୍କୁ ଅର୍ଥ ମଞ୍ଜୁର ଓ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦ ଅଧିବେଶନ ରେ ଧାରା ୩୭୭ ଅନୁସାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ନିଜର ଲିଖିତ ପ୍ରଶ୍ନ ଉପସ୍ଥାପନ କରିଛନ୍ତି  ।  ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ଉକ୍ତ ଆବାସ ପ୍ଲସ ପୋର୍ଟାଲ୍ ଖୋଲା ହେଲେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସହିତ ଆହୁରି ଅପେକ୍ଷାରେ ଥିବା ଅନେକ ଗରିବ ଲୋକ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପକ୍କା ଘରଟିଏ ପାଇ ଉପକୃତ ହେବେ ।

Latest Posts

Don't Miss