ଭୂତ ତିଆରି କରୁଛି ମଶାଣିକୁ ରାସ୍ତା, ଲୋକ କହିଲେ ଟଙ୍କା ଖାଇବାକୁ ଚକ୍ରାନ୍ତ..

ଭଦ୍ରକ: ଭୂତ ତିଆରି କରୁଛି ମଶାଣିକୁ ରାସ୍ତା । ଶବ ଦାହ ପାଇଁ ମଶାଣି ଯାଏଁ ଯିବାକୁ ତିଆରି ହୋଇଛି ରାସ୍ତା । ୩ ଶହ ମିଟର କଂକ୍ରିଟ୍ ରାସ୍ତା ନିର୍ମାଣ ପାଖାପାଖି ଶେଷ ମଧ୍ୟ ହୋଇସାରିଛି । ହେଲେ ଏହି ରାସ୍ତାକୁ କିଏ ନିର୍ମାଣ କରିଛି ତାହାର କୌଣସି ଖୋଜ୍ ଖବର ନାହିଁ । ରାସ୍ତା ନିର୍ମାଣ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଫଳକ ନାହିଁ । ଏନେଇ ସ୍ଥାନୀୟ ସରପଞ୍ଚକୁ ପଚାରିଲେ ସେ ମଧ୍ୟ ଜାଣିନଥିବା କହୁଛନ୍ତି । ଏମିତିକି ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ଏହି ବିଷୟରେ ଅଜ୍ଞ ।

ରାସ୍ତା ନିର୍ମାଣ ପାଖାପାଖି ସରିଲାଣି ହେଲେ ସୂଚନା ଫଳକ ଲାଗି ନାହିଁ । ୩ଶହ ମିଟର ରାସ୍ତା ସମ୍ପର୍କରେ କେହି କିଛି ଜାଣିପାରୁନାହାନ୍ତି । ସରପଞ୍ଚ ବି କହୁଛନ୍ତି ‘ଆମେ ଜାଣିନୁ’ । ତେବେ ଏଭଳି ଘଟଣା ଏବେ ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି । ଉକ୍ତ ଗାଁଲୋକ ଏହି ରାସ୍ତା ନିର୍ମାଣ ନାଁରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ଅଣିଛନ୍ତି ।

ଏଭଳି ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ରଣଜୀତ ପଞ୍ଚାୟତ ମାଳିପଦୀ ଗାଁରେ ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ପାଇଁ ବାଲି, ଚିପ୍ସ ରାସ୍ତା ପାର୍ଶ୍ୱରେ ପଡିଛି । ମିସ୍ତ୍ରୀ ଓ ଶ୍ରମିକ ମଧ୍ୟ ଆସି କାମ କରି ଯାଉଛନ୍ତି । ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ କିଏ କରୁଛି ସମସ୍ତେ ଅଗୋଚର । ତେବେ ଅନୁସନ୍ଧାନ ପରେ ରାସ୍ତା ପାଇଁ କେହି ୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରି ନେଇଥିବା ସନ୍ଦେହ କରୁଛନ୍ତି ଲେକେ । ଏନେଇ ଅଭିଯୋଗ ପରେ ଭଣ୍ଡାରିପୋଖରୀ ବିଡିଓ କହିଛନ୍ତି, ରାସ୍ତା ବାବଦରେ କ୍ଷେତ୍ର ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଅସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply