୩ ଦିନ ଧରି ଅଶାନ୍ତ ବାତାବରଣ ପରେ ଭଦ୍ରକ ସ୍ଥିତିରେ ସାମାନ୍ୟ ସୁଧାର

ଭଦ୍ରକ : ୩ ଦିନ ଧରି ଅଶାନ୍ତ ବାତାବରଣ ପରେ ଭଦ୍ରକରେ ସୁଧୁରୁଛି ସ୍ଥିତି। ଆଜି ସକାଳ ୬ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସାରା ଜିଲ୍ଲାରେ ବଳବତ୍ତର ରହିଛି ଧାରା ୧୬୩। ୨ ରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଇଛି ପ୍ରଶାସନ।

ଧାମନଗର ଓ ଦୋବଲରେ ମଧ୍ୟ ବନ୍ଦ ରହିଥିବା ସମସ୍ତ ଦୋକାନବଜାର କଟକଣା ମଧ୍ୟରେ ଖୋଲିବ। ସ୍ଥିତିକୁ ନଜରରେ ରଖି ଆହୁରି ୪୮ ଘଣ୍ଟା ବନ୍ଦ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ଲିଜ୍ ଲାଇନ୍ ମାଧ୍ୟମରେ ଇଣ୍ଟରନେଟ ଯୋଗାଇ ଦିଆଯିବ। ଫଳରେ ବ୍ୟାଙ୍କ୍, କର୍ପୋରେଟ୍ ସଂସ୍ଥା ସହ ବଡବଡ ଶିଳ୍ପ ସଂସ୍ଥାକୁ ମିଳିବ ଇଣ୍ଟରନେଟ୍ ।

ଆଜିଠାରୁ ବ୍ୟାଙ୍କରେ ଦେଣନେଣ ହୋଇପାରିବ । ଗିରଫ ସଂଖ୍ୟା ୧୫ ରେ ପହଞ୍ଚିଥିବାବେଳେ ଆଗକୁ ଏହି ସଂଖ୍ୟା ବଢିବା ସମ୍ଭାବନା ରହିଛି । ଗୁଜବରେ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିଆଇଜି। ଘଟଣାରେ ସମ୍ପୃକ୍ତ ନଥିଲେ ଭୟଭୀତ ନହୋଇ ଘରେ ରହିଲେ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଡିଆଇଜି।