ପ୍ରତାରିତ ପ୍ରେମୀଙ୍କ ପ୍ରଥମ ପସନ୍ଦ ବେବଫା ଚା’ବାଲା, ଲାଗୁଛି ଲମ୍ବା ଲାଇନ

ଲକ୍ଷ୍ନୌ: ଭାରତରେ ଚା’ଖଟି ଏକ ନିତିଦିନିଆ କାହାଣୀ  । ବହୁ ସମୟରେ ଏହି ଚା ଖଟିରୁ କେତେ ଯେ କାହାଣୀ ଖବରର ଶିରୋନାମା ପାଲଟିଯାଏ। କିନ୍ତୁ ଉତ୍ତର ପ୍ରଦେଶର ଜଣେ ଏଭଳି ଚା ବ୍ୟବସାୟୀଙ୍କ ଚର୍ଚ୍ଚା ଏବେ ସବୁଠି । କାରଣ ଏହି ଦୋକାନର ନାମ ବେବଫା ଚା’ବାଲା  । ଏଭଳି ଅଜବ ନାଁ ଶୁଣି ଆପଣଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥାଇପାରେ । ହେଲେ ଦୋକାନୀଙ୍କ ମୁହଁରୁ ଏହାର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ  ।

 

ହାପୁଡ ଜନପଦର ଧୌଲଲାନାରେ ଖୋଲିଛି ଏହି ଭିନ୍ନ ଚା’ ଦୋକାନ  । ପ୍ରେମରେ ପ୍ରତାରଣା ପାଇଥିବା ବ୍ୟକ୍ତିଙ୍କ ପାଇଁ କିନ୍ତୁ ବ୍ୟବସାୟୀଙ୍କ ଅଜବ ଦରଦ  । ପ୍ରେମରେ ଧୋକା ଖାଇଥିବା ଯୁବକ  ଯୁବତୀଙ୍କୁ ବ୍ୟବସାୟୀ ଦେଉଛନ୍ତି ସ୍ପେଶାଲ ଅଫର୍‌  । ଆଜ୍ଞା ହଁ ଯଦି ଆପଣ ପ୍ରେମରେ ଧୋକା ଖାଇଛନ୍ତି ତେବେ କେବଳ ୧୦ ଟଙ୍କା ଦେଇ ଆପଣ ଚା’ ପିଇପାରିବେ  । କିନ୍ତୁ ଯଦି ଆପଣ ପ୍ରେମିକ ବା ପ୍ରେମିକାଙ୍କ ସହ ଏଠାକୁ ଚା ପିଇବାକୁ ଆସନ୍ତି ଏଥିପାଇଁ ୧୫ ଟଙ୍କା ଦେବାକୁ ପଡିଥାଏ

ଆପଣ ଭାବୁଥିବେ ବ୍ୟବସାୟୀଙ୍କ ଏଭଳି ନିଷ୍ପତ୍ତି କାହିଁକି ? ସେ ଖୋଦ୍‌ ପ୍ରେମରେ ଧୋକା ଖାଇଛନ୍ତି କି ? ନା ସେ ପ୍ରେମରେ ଧୋକା ଖାଇ ନାହାନ୍ତି  । ହେଲେ ନିଜ ବନ୍ଧୁ ମାନଙ୍କୁ ଦେଖି ଦୋକାନର ଏକ ୟୁନିକ୍‌ ନାଁ ସେ ରଖିଛନ୍ତି  । ଦୋକାନୀଙ୍କ କହିବା କଥା ଯେ, ଅଧିକାଂଶ ସମୟରେ ତାଙ୍କ ସାଙ୍ଗ ମାନେ ପ୍ରେମରେ ପ୍ରତାରଣା ପାଇ ବନ୍ଧୁଙ୍କ ପରାମର୍ଶ ଚାହୁଁଥିଲେ  । ଏଭଳି ଅନେକ ବନ୍ଧୁଙ୍କ ହୃଦୟ ଭାଙ୍ଗିଥିବା ସେ ଜାଣିବାକୁ ପାଇଥିଲେ  । ଆଉ ସେହି ସାଙ୍ଗମାନଙ୍କ ଠୁ ପ୍ରେରଣା ପାଇ ଚା’ ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ ବ୍ୟବସାୟୀ  ।  ସେବେଠାରୁ ବେବଫା ଚା ବ୍ୟବସାୟୀଙ୍କ ଦୋକାନରେ ପ୍ରେମିକଙ୍କ ଭିଡ ଜମୁଛି  । ଅଧିକାଂଶ ଯୁବପୀଢୀଙ୍କ ପ୍ରଥମ ପସନ୍ଦ ପାଲଟିଛି ବେବଫା ଚା ଦୋକାନୀ  ।