spot_img

Latest Posts

ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ହେଲେ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ, ଏଲନ ମସ୍କଙ୍କୁ ପକାଇଲେ ପଛରେ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ। ଏଲନ ମସ୍କଙ୍କୁ ପଛରେ ପକାଇ ଧନୀ ତାଲିକାରେ ସାମିଲ ହୋଇଛନ୍ତି ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ। ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣ ଏବେ ୨୦୭.୬ ବିଲିୟନ ଡଲାରରେ ପହଞ୍ଚିଛି। ବ୍ଲୁମବର୍ଗ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତିରେ ଏକା ଥରକରେ ୧୮.୬ ବିଲିୟନ ଡଲାର ଅଭିବୃଦ୍ଧି ଦେଖାଯାଇଛି। ଏହାସହିତ ସେ ଏଲନ ମସ୍କଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ମସ୍କଙ୍କ କମ୍ପାନୀ ଟେସଲା ସେୟାର ମୂଲ୍ୟରେ ହ୍ରାସ ଧାରା ଜାରି ରହିବା ଯୋଗୁ ତାଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇ ୨୦୪.୭ ବିଲିୟନ ଡଲାର ହୋଇଯାଇଛି। ଅର୍ଥାତ ଦୁଇ ବିଲେନିୟରଙ୍କ ସମ୍ପତ୍ତି ମଧ୍ୟରେ ଏବେ ୨.୯ ବିଲିୟନ ଡଲାରର ପାର୍ଥକ୍ୟ ସୃଷ୍ଟି ହୋଇଛି। ୨୦୨୪ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯଦି ଆୟ କଥା କୁହାଯାଏ ତେବେ ଫ୍ରାନ୍ସର ଏହି ୭୪ ବର୍ଷ ବୟସ୍କ ବିଲେୟନାଏର ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ୭.୨୫ ବିଲିୟନ ଡଲାର ଆୟ କରିଛନ୍ତି। ଅନ୍ୟପଟେ ୫୨ ବର୍ଷୀୟ ମସ୍କଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ବ୍ଲୁମବର୍ଗ ଅନୁସାରେ ମସ୍କଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୦.୫ ବିଲିୟନ ଡଲାର ହ୍ରାସ ଘଟିସାରିଛି। ତେବେ ଆର୍ଣ୍ଣୋଲ୍ଟ ପ୍ରଥମ ଥର ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଛନ୍ତି ତା ନୁହେଁ ଏହା ପୂର୍ବରୁ ମଧ୍ୟ ସେ ପ୍ରଥମ ସ୍ଥାନରେ ରହିଥିଲେ। ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଭାରତୀୟ ବିଲେୟନାଏର ତଥା ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମାଲିକ ମୁକେଶ ଅମ୍ବାନୀ ତାଙ୍କର ଦବଦବା କାୟମ ରଖିଛନ୍ତି। ଫୋର୍ବସ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪.୪ ବିଲିୟନ ଡଲାର ରହିଛି। ଏହାସହିତ ସେ ବିଶ୍ୱ ଧନୀ ତାଲିକାର ୧୧ ନମ୍ବର ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ଭାରତୀୟ ଅରବପତି ଗୌତମ ଆଦାନୀ ୯୧.୬ ବିଲିୟନ ଡଲାର ସମ୍ପତ୍ତି ସହ ଧନ ତାଲିକାରେ ୧୪ତମ ସ୍ଥାନରେ ରହିଛନ୍ତି।

Latest Posts

Don't Miss