ଗାଡ଼ିରେ ଆସିଲେ, କୁକୁରକୁ ହାଣି ପଳାଇଲେ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: କୁକୁରକୁ ନିର୍ମମ ଭାବେ ହାଣିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଟାଉନ ଥାନା ଗାନ୍ଧୀନଗର ସପ୍ତମ ଲାଇନ ରାସ୍ତାରେ । ଗତ ଶନିବାର ଦିନ ଗୋଟିଏ ସ୍କୁଟିରେ ୩ଜଣ ଯୁବକ ଆସି ଗୋଟିଏ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଅନ୍ୟପକ୍ଷରେ ୩ଟି ସ୍କୁଟିରେ ୮ଜଣ ଯୁବକ ଗାନ୍ଧୀନଗର କଣ ପାଇଁ ଆସିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁକୁରକୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଏଭଳି ଘଟଣାକୁ ପଶୁପ୍ରେମୀମାନେ ଦୃଢ଼ ନିନ୍ଦା କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।