ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲା : ୭ ଅଟକ

ବ୍ରହ୍ମପୁର : ବ୍ରହ୍ମପୁରର ବିଜେପି ନେତା ତଥା ଓକିଲ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ । ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ସିଆରପିଏଫ୍ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଜବାନ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଥିବାର ସୂଚନା ମିଳିଛି । ଅଟକ ଥିବା ଯୁବକମାନେ ଦିଗପହଣ୍ଡି, ହିଞ୍ଜିଳି ଓ ପିତଳ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଦୁଇଟି କାର୍ ମଧ୍ୟ ଜବତ କରାଯାଇଛି । ଗତ ସୋମବାର ରାତିରେ ପୀତବାସ ପଣ୍ଡା ନୂଆ ବସଷ୍ଟାଣ୍ଡରେ ଥିବା ଭୂପତି ହାଟେଲକୁ ଖାଇବା ସାମଗ୍ରୀ ଆଣିବାକୁ ଯାଇଥିଲେ । ଅଟକ ଯୁବକମାନେ ବି ସେହି ସମୟରେ ହୋଟେଲରେ ଥିଲେ ବୋଲି ଜଣାପଡ଼ିଛି ।

ସୋମବାର ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାତି ପ୍ରାୟ ୧୦ଟା ବେଳେ ଗିରି ମାର୍କେଟରେ ଥିବା ତାଙ୍କ ଚାମ୍ଵରରୁ ବୈକୁଣ୍ଠନଗରରେ ଥିବା ଘରକୁ ଫେରୁଥିବା ବେଳେ ଘରଠୁ ମାତ୍ର ଶହେ ମିଟର ଦୂରରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା । ଦୁଇ ଜଣ ଯୁବକ ବାଇକରେ ଆସି ପଏଣ୍ଟ ବ୍ଲାଙ୍କ୍ ଫାୟାରିଂ କରିଥିଲେ । ପୀତବାସଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ୬ଟି ସ୍ଵତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏବେ ୭ ଜଣଙ୍କୁ ଅଟକ ରଖାଯାଇଛି ।