ସରିଲା ବାପଘର ଲୀଳାଖେଳା, ଆଜି ମନ୍ଦିର ବାହୁଡ଼ିବେ ବ୍ରହ୍ମପୁର ଆରାଧ୍ୟ ଦେବୀ

ନନ୍ଦିଘୋଷ ବ୍ୟୁରୋ : ଆଜି ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ତିମ ଦିନ। ସରିଲା ବାପାଘର ଲୀଳାଖେଳା। ଆଜି ମଧ୍ଯରାତ୍ରିରେ ମନ୍ଦିର ବାହୁଡ଼ିବେ ମାଆ । ଝିଅକୁ ବିଦାୟ ଦେବାକୁ ବାପା ଦେଶୀ ବେହେରା ସମସ୍ତ ପ୍ରସ୍ତୁତି କରିଛନ୍ତି । ଭାରତୁର ସହ ଝିଅକୁ ବିଦାୟ ଦେବେ ବାପା । ଦୁଇବର୍ଷ ପରେ ବାପ ଘରକୁ ବୁଲି ଆସିଥିଲେ ବୁଢୀ ଠାକୁରାଣୀ । ଶେଷ ଦିନରେ ଫେରିଯିବାକୁ ଶାଶୂ ଘରୁ ଡକରା ଆସିବା ପରେ ମାଆଙ୍କୁ ମେଲାଣି ଦେବାକୁ ପ୍ରସ୍ତୁତ ହୋଇଛନ୍ତି ବାପା ଦେଶୀ ବେହେରା । ଯୋଗାଡ ହୋଇଛି ଭାରତୁର । ଗୋଟିଏ ଗଛରେ ବନ୍ଧାଯିବ ମାଆଙ୍କ ବିଦାୟ ସମୟରେ ସମସ୍ତ ଭାର । ତଳା ବନ୍ଧାଯିବ କୁକୁଡ଼ା । ସଂଧ୍ୟାରେ ବାପା ଦେଶୀବେହେରାଙ୍କ ଘରେ ହଜାରେ ଚକ୍ଷୁ ବିଶିଷ୍ଟ ଘଟ ସ୍ଥାପନ କରାଯାଇ ପୂଜା ପରେ ଘଟ ବାହାରିବ ମହୁରୀ ରାଜବାଟୀ । ମହୁରୀ ରାଜା ଓ ତାଙ୍କ ପରିବାର ପୂଜାର୍ଚ୍ଚନା କରି ମାଆଙ୍କୁ ବିଦାୟ ଜଣାଇବା ପରେ ପ୍ରତିଘରୁ ମାନସିକଧାରୀ ଘଟ ମାଆଙ୍କ ପଛେପଛେ ମନ୍ଦିରକୁ ଆସିବେ । ଦିନତମାମ ଉପବାସରେ ରହି ନୂଆ ଲୁଗା ପିନ୍ଧି ମୁଣ୍ଡର ଘଟକୁ ଧରି ଆସିବେ ମହିଳା । ଶ୍ରଦ୍ଧାଳୁ, ମାନସିକ ଘଟଧାରୀ, ବେଶଧାରୀ, ଡିଜେ, ଘଣ୍ଟଘଣ୍ଟା, ମୃନ୍ଦଙ୍ଗ ଓ ହୁଳହୁଳିରେ ମାଆଙ୍କୁ ଶାଶୁଘରେ ଛାଡ଼ିବେ ଶ୍ରଦ୍ଧାଳୁ । ସେପଟେ ଆଜି ଶେଷ ଦିନ ଥିବାରୁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ଼ ଜମିବା ଆଶା କରାଯାଉଛି ।