ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା, ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

1 min read

ବ୍ରହ୍ମପୁର : ଗୌରବ ହରାଇଲାଣି ଗଞ୍ଜାମ । ଦିନକୁ ଦିନ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ।  ଦୁଇ ଦୁଇଟି ହତ୍ୟାକାଣ୍ଡକୁ ୨୪ ଘଣ୍ଟା ନପୁରୁଣୁ ଏବେ ଆସିଛି ଦୁଷ୍କର୍ମ ଅଭିଯୋଗ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଭିଆଉଛନ୍ତି ଅପରାଧୀ  । ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଇଜଣ ନାବାଳିକା ଏକ ଶୁଭକାର୍ଯ୍ୟରେ ଯାଇଥିବା ବେଳେ ୪ ଜଣ ଯୁବକ ସେମାନଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭାବନୀୟ ଘଟଣା ଘଟାଇ ସ୍ଥାନୀୟ ଅଞ୍ଚଳରୁ ଫେରାର ହୋଇଯାଇଛନ୍ତି ୪ ଯୁବକ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ସେପଟେ ଦୁଇ ନାବାଳିକାଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀ ମଇନା କରାଯାଇଥିବା ବେଳେ ଷ୍ଟେଟମେଣ୍ଟ ନିଆଯାଇଛି l

ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି ।ସେମାନଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି l ଅଭିଯୁକ୍ତ ମାନେ ଦୁଇଟି ବାଇକରେ ଦୁଇ ନାବାଳିକାଙ୍କୁ ନେଇ ଗଣ ଦୁଷ୍କର୍ମ କରିଥିବା ଜଣାପଡିଛି । ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ । ପୂର୍ବ ସରକାର ସମୟରେ ଶାନ୍ତ ଥିବା ଗଞ୍ଜାମ ଜିଲ୍ଲା ପୁଣି ଅଶାନ୍ତ ହେଉଛି । ପୋଲିସର ଢିଲା ପଣିଆ ଯୋଗୁ ଏଭଳି ଅପରାଧ ନିୟନ୍ତ୍ରଣ ବାହାକୁ ଚାଲିଯାଇଥିବା  ଅଭିଯୋଗ ହୋଇଛି ।