ପୋଖରୀ ଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟାକରଣ ନେଇ ତେଜୁଛି ବିବାଦ
1 min read![](https://nandighoshatv.com/wp-content/uploads/2025/02/କେମିତି-ହେବ-ଦଣ୍ଡଯାତ୍ରା-1024x576.jpg)
ବ୍ରହ୍ମପୁର : ବିବାଦ ଘେରରେ ବ୍ରହ୍ମପୁର ଆଖପାଖ ଅଞ୍ଚଳର ପୋଖରୀ । ହୋଇପାରୁନି ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ଯକରଣ । ଆଗକୁ ଯାତ୍ରା ଥିବାରୁ ଚିନ୍ତାରେ ଦଣ୍ଡୁଆ । ମାର୍ଚ୍ଚ ୧୪ରୁ ଅପ୍ରିଲ ୧୪ ଏକମାସ ବ୍ୟାପୀ ସହରରେ ପ୍ରତ୍ଯେକ ଦିନ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ । ଜଳଦଣ୍ଡରେ ଜଳକ୍ରୀଡ଼ା କିପରି କରାଯିବ ସେନେଇ ଚିନ୍ତାରେ ଦଣ୍ଡୁଆ । ୨୦୨୩ ଡିସେମ୍ବରରେ ୩୧ଟି ପୋଖରୀର ପୁନଃଉଦ୍ଧାର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ୨୦୨୪ ଫେବ୍ରୁଆରୀ ୧୬ରେ ଆଉ ୯ଟି ପୋଖରୀର କାର୍ଯ୍ୟାଦେଶ ବିଣ୍ଟନ କରାଯାଇଥିଲା । ସମୁଦାୟ ୪୦ଟି ପୋଖରୀ ପାଇଁ ମିଶନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୩୯ କୋଟି ୪୨ ଲକ୍ଷ ୪୯ ହଜାର ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ ହୋଇଥିଲା । ୮୦ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯାଇଥିଲା । ହେଲେ ଦେଢବର୍ଷ ବିତିଥିଲେ ସୁଦ୍ଧା କାମ ଆରମ୍ଭ ହୋଇପାରୁନାହିଁ ।
କାର୍ଯ୍ୟାଦେଶ ଦେବା ପୂର୍ବରୁ ବିଏମ୍ସି ପକ୍ଷରୁ ସଂପୃକ୍ତ SHGଙ୍କ ମଧ୍ୟରେ ଚୁକ୍ତିନାମା କରିବା କଥା । କିନ୍ତୁ କୌଣସି ବିଏମ୍ସି ଚୁକ୍ତିନାମା କରିନାହିଁ । ତତ୍କାଳୀନ ନିର୍ବାହୀଯନ୍ତ୍ରୀ କେବଳ ମୌଖିକ ଭାବେ ଅନୁମତି ଦେଇଥିଲେ । ସଂପ୍ରତି ସରକାର ବଦଳିବା ସହ ନିର୍ବାହୀ ଯନ୍ତ୍ରୀଙ୍କ ମଧ୍ୟ ବଦଳି ହୋଇଛି । ଏଭଳି ପରିସ୍ଥିତିରେ କାମ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦୁଃଖ ବଢିଯାଇଛି । ବିନା ଚୁକ୍ତିନାମାରେ ବିଏମ୍ସି କିଭଳି ଟଙ୍କା ପ୍ରଦାନ କରିବ ସେଥିନେଇ ଦ୍ବନ୍ଦ୍ବ ଦେଖାଦେଇଛି । ବକେୟା ଟଙ୍କା ନମିଳିବା ଯୋଗୁଁ କାମ ବନ୍ଦ ରହିଛି । ଏଭଳି ସ୍ଥିତିରେ ସହରର ପୋଖରୀ ଗୁଡ଼ିକ କିପରି ପୁନଃଉଦ୍ଧାର କରାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ ।