ବ୍ରହ୍ମପୁର ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗରୁ ଫାଇଲ ଚୋରି

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମକୁ ଶନିଦଶା । ଗୋଷ୍ଠୀ କନ୍ଦଳ ସାଙ୍ଗକୁ ମଶାତେଲ କିଣାରେ ଅନିୟମିତତା । ତୁତୁ ମେମେ ଭିତରେ ଏବେ ଗୁରୁତ୍ବପୂର୍ଣ୍ଣ ଫାଇଲ ଚୋରି ଅଭିଯୋଗ । କାର୍ଯ୍ୟାଳୟର ସ୍ବାସ୍ଥ୍ୟ ବିଭାଗ କୋଠରୀରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଚୋରି କରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅଧିକାରୀମାନେ ଆସି ଦେଖିଲା ବେଳକୁ କୋଠାରୀର କବାଟ ବାହାରପଟୁ ଭଙ୍ଗାଯାଇଥିଲା । କୋଠରୀ ଭିତରେ କାଗଜପତ୍ର ବିଛାଡ଼ି ହୋଇ ପଡ଼ିଥିବା ଦେଖିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ଅଧିକାରୀ । ଜଣେ ଯୁବକ ଜାକେଟ ସହ ମୁହଁରେ ମାସ୍କ ପିନ୍ଧି ସ୍ବାସ୍ଥ୍ୟ ବିଭାଗର କୋଠରୀରେ ପ୍ରବେଶ କରିଥିଲା । କିଛି ସମୟ ପରେ ସ୍ବାସ୍ଥ୍ୟ ବିଭାଗର କୋଠରୀରୁ କିଛି ଫାଇଲ ତଥା କାଗଜପତ୍ର ଧରି ବାହାରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭି ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏଯାଏଁ ଅଭିଯୁକ୍ତକୁ ଗିରଫ କରାଯାଇପାରି ନାହିଁ ।

ଚୋର କମ୍ପୁଟର କିମ୍ବା ଟଙ୍କା ଚୋରି କରିବା ପରିବର୍ତ୍ତେ କାହିଁକି କାଗଜ ପତ୍ର ଚୋରି କଲା ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଅନ୍ୟପଟେ ବିଭିନ୍ନ ଦୁର୍ନୀତିରେ ଉବୁଟୁବୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ଏହା ଏକ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ମଶାମରା ତେଲ କିଣିବାରେ ଲକ୍ଷ ଲକ୍ଷ ଟଙ୍କାର ବାଟମାରଣା ହୋଇଥିବା ଜଣା ପଡିବା ପରେ ସ୍ବାସ୍ଥ୍ଯ ବିଭାଗ ଏପରି ନାଟକ ରଚିଥିବା ଅଭିଯୋଗ ହୋଇଛି । ତେଣୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି । ତେବେ ସମ୍ପୃକ୍ତ ଯୁବକ ଜଣକ କେଉଁ ସବୁ କାଗଜପତ୍ର ଚୋରି କରି ନେଇଛି ତାହା ସ୍ପଷ୍ଟ ହୋଇନି । ଚୋରକୁ କାବୁ କରିବା ପରେ ହିଁ ଏହା ଜଣାପଡ଼ିବ ବୋଲି କହିଛନ୍ତି ବିଇଏମସି କମିଶନ ।