ବିଜେଡିରୁ ତଡା ଖାଇଥିବା ନେତାଙ୍କୁ କୋଳାଉଛି ବିଜେପି, ଟାର୍ଗେଟ କଲେ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର: ପ୍ରେସମିଟ୍‌ କରି ଗୋପାଳପୁର ବିଧାୟକଙ୍କ ଉପରେ ବର୍ଷିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ତା । ଜନବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ତଡା ଖାଇଥିବା ନେତାଙ୍କୁ କୋଳାଉଛି ବିଜେପି । ଠକ, ମାଫିଆଙ୍କ ସହ ସମ୍ପର୍କ ରଖିଥିବା ଜଣେ ବ୍ୟକ୍ତିଙ୍କୁ କିପରି ବିଜେପି କୋଳାଉଛି ? ବିଜେପିର ଦୋମୁହାଁ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରି ଜଣେ ଦୁର୍ନୀତିଗ୍ରସ୍ତ ଓ ଜନବିରୋଧୀ ବ୍ୟକ୍ତିଙ୍କୁ ବିଜେପି ନିଜ ଦ୍ବାର ଖୋଲା ରଖିଥିବାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିକ୍ରମ । ସେ କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ଯେଉଁ ଦଳ ତାଙ୍କୁ ସମାଲୋଚନା କରୁଥିଲା ଆଜି ତାଙ୍କୁ କୋଳାଇ ନେଉଛି । ବିଜେପି ନେତା କେବଳ ଭାଷଣବାଜିରେ ମାହିର୍ ।

ଚାକିରି ଦେବା ନାଁରେ ଟଙ୍କା ଠକେଇ କରି ପ୍ରଦୀପ ବିଳାସପୂର୍ଣ୍ଣ ଜୀବନ କଟାଉଥିଲେ । ମଦ ଓ ବାଲି ମାଫିଆଙ୍କଠୁ ବି ନେଇଛନ୍ତି କୋଟି କୋଟି ଟଙ୍କା । କୋଭିଡ ସମୟରେ ଚାର୍ଟାର୍ଡ ଫ୍ଲାଇଟରେ ବୁଲିଥିଲେ ପ୍ରଦୀପ । ବିଧାୟକ ହୋଇ ବି ନୀତି, ନିୟମ ଆଦି ସବୁକିଛି ଭୁଲି ଯାଇଥିଲେ । ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି । ବିଜେପିର ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ନାହିଁ । ଆଗକୁ ଜନସାଧାରଣ ବିଜେପିକୁ ଉଚିତ ଜବାବ ଦେବେ ବୋଲି କହିଛନ୍ତ ବିକ୍ରମ ।