ଲାଞ୍ଚ ନେଇ ଗିରଫ ହେଲେ ଘଟଗାଁ ବିଇଓ, ବକେୟା ଦରମା ପାଇଁ ମାଗିଥିଲେ ୯୦ ହଜାର ଟଙ୍କା ଲାଞ୍ଚ

କେନ୍ଦୁଝର: ଲାଞ୍ଚନେଇ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଏଜୁକେସନ ଅଫିସର ଅଭୟ କୁମାର ବେହେରା । ୨୦୧୫ ବ୍ୟାଚର ୩୩ ଜଣ ଶିକ୍ଷକଙ୍କ ବକେୟା ଦରମା ଦେବା ପାଇଁ ୯୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଇଓ । ୬୦ ହଜାର ଟଙ୍କାରେ ଡିଲ୍ ଫାଇନାଲ ହୋଇଥିଲା । ଜଣେ ସହକାରୀ ଶିକ୍ଷକଙ୍କଠାରୁ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଏହା ସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଘଟଗାଁ ବିଇଓ କାର୍ଯ୍ୟାଳୟ ସମେତ ଯାଜପୁର୍ ଟାଉନ୍ ଏବଂ ବିଂଝାରପୁରରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ | ବାଲେଶ୍ବର ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଡିଏସପି ଏସକେ ସାମନ୍ତରାୟଙ୍କ ନେତୃତ୍ୱରେ ତିନିଜଣ ଇନସ୍ପେକ୍ଟରଙ୍କ ସହିତ ମିଳିତ ଚଢ଼ାଉ ଚାଲିଛି । ବାଲେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି ।