ପ୍ରମୋଦ ଉଦ୍ୟାନରେ ମୃଗ ଶିକାର କଲେ ମହାପ୍ରଭୁ ଜଗନ୍ନାଥ

ପୁରୀ: ଉତ୍କଳୀୟ ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତିରେ ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିରରେ ଅନେକ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥାଏ । ତ୍ରେତୈୟା ଯୁଗର ଲୀଳାକୁ ନେଇ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ଓ ନିଆରା ବେଣ୍ଟ ନୀତି । ମହାପ୍ରଭୁ ପ୍ରମୋଦ ଉଦ୍ୟାନରେ ବେଣ୍ଟ ପୋଖରୀ ନିକଟରେ ମୃଗ ଶିକାରର ବିଧିକୁ ଶ୍ରୀଫଳ ଉପରେ ତୀର ସନ୍ଧାନ କରାଯାଇଥିଲା । ଏହି ଦୃଶ୍ୟ ଥିଲା ବେସ ଆକର୍ଷଣୀୟ । ପ୍ରଭୁଙ୍କ ଏହି ଦୁର୍ଲଭ ଓ ଅନନ୍ୟ ଲୀଳା ଦର୍ଶନ କରି ଭକ୍ତ ହେଲେ ବିଭୋର ।

ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ନିଆରା । ଅନନ୍ୟ ଶ୍ରୀଜିଉଙ୍କ ନୀତିକାନ୍ତି । ଆକର୍ଷଣୀୟ ମହାବାହୁଙ୍କ ବିଭିନ୍ନ ପର୍ବପର୍ବାଣି । ଏହାରି ମଧ୍ୟରେ ରହିଛି ଅନ୍ୟତମ ବିଶେଷ ନୀତି ବେଣ୍ଟ ନୀତି । ଏହି ସ୍ୱତନ୍ତ୍ର ନୀତିରେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଗନ୍ନାଥ ବଲ୍ଲଭକୁ ବିଜେ କରିଥାନ୍ତି । ପରେ ସେଠାରେ ଥିବା ବେଣ୍ଟ ପୋଖରୀରେ ନିଆରା ଶିକାର କରିଥାନ୍ତି । ତ୍ରେତୈୟା ଯୁଗର ଲୀଳା ଅନୁସାରେ ଏହି ବେଣ୍ଟ ନୀତିକୁ ଶ୍ରୀମନ୍ଦିର ସେବାୟତମାନେ ଅତ୍ୟନ୍ତ ନିଷ୍ଠା ସହକାରେ କରିଥାନ୍ତି ।

ବେଣ୍ଟ ପୁଷ୍କରଣୀ ନିକଟରେ ଶ୍ରୀଫଳରେ ତୀର ସନ୍ଧାନ କରି ମୃଗ ଶିକାର ବିଧିକୁ କରାଯାଇଛି । ଏହାକୁ ଦର୍ଶନ କରି ଭକ୍ତ କୃତାର୍ଥ ହୋଇଛନ୍ତି । ପରମ୍ପରା ଅନୁସାରେ ଏହି ଶିକାର ନୀତି ପରେ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ସ୍ନାନ, ଆଳତୀ, ବନ୍ଦାପନା କରାଯାଇଥାଏ । ପ୍ରଭୁଙ୍କର ଏହି ନୀତି ଦର୍ଶନ ସହ ତୀରର ସ୍ପର୍ଶ ମାତ୍ରେ ହିଁ ଦୂରାରୋଗରୁ ମୁକ୍ତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।