୭୭ ଥର ଟ୍ରାଫିକ୍ ନିୟମ ଭାଙ୍ଗିଲା ପରେ ଧରାପଡ଼ିଲେ, ପୋଲିସ କାଟିଲା ୨ ମିଟର ଲମ୍ବା ଚାଲାଣ
1 min read
file photo
ବେଙ୍ଗାଲୁରୁ: ପରିବା ବିକାଳିଙ୍କୁ ୪୨ ହଜାର ଟଙ୍କା ଜୋରିମାନା । ୭୭ ଥର କରିଥିଲେ ଟ୍ରାଫିକ୍ ନିୟମ ଉଲଂଘନ । ଏଭଳି ଘଟଣା ସାମ୍ନକୁ ଆସିଛି ବେଙ୍ଗାଲୁରୁ ସହରରେ । ଜଣେ ପରିବା ବିକାଳି ବାରମ୍ବାର ଟ୍ରାଫିକ୍ ନିୟମ ଉଲଂଘନ କରିବା ପରେ ଆଜି ପୁଣି ଟ୍ରାଫିକ୍ ନିୟମ ଉଲଂଘନ କରି ପୋଲିସ ହାତରେ ଧରାପଡ଼ିଥିଲେ । ତେବେ ପୋଲିସ ତାଙ୍କ ପୂର୍ବ ରେକର୍ଡକୁ ଆଧାର କରି ୪୨ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି ।
ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ସାଧାରଣ ପରିବା ବିକାଳି ୭୭ ଥର ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଅନେକ ପ୍ରଶ୍ନ କରିଛନ୍ତି ଜଣେ ପରିବା ବିକାଳି ଏତେ ଟଙ୍କା କେଉଁଠୁ ଆଣିବ ? ଯଦି ସେ ୭୭ ଥର ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି ଆଉ ପୋଲିସ ପାଖରେ ତାହାର ପ୍ରମାଣ ରହିଛି, ତେବେ ଆଜି ଯାଏଁ ପୋଲିସ କ’ଣ କରୁଥିଲା ? ଆରମ୍ଭରୁ ପୋଲିସ ତାଙ୍କୁ କାହିଁକି ଚେତାବନୀ ଦେଇନଥିଲା ।

ଏହି ପରିବା ବିକାଳି ଜଣକ ହେଉଛନ୍ତି, କର୍ଣ୍ଣାଟକର ବେଙ୍ଗାଲୁର ମାଡିଭାଲାର ବାସିନ୍ଦା ଅରୁଣ କୁମାର । ତେବେ ଏହି ଜୋରିମାନା ରାଶି, ସେ ଚଲାଉଥିବା ସେକେଣ୍ଡ ହ୍ୟାଣ୍ଡ ସ୍କୁଟରର ମୂଲ୍ୟଠାରୁ ମଧ୍ୟ ଅଧିକ । କୌତୁହଳର ବିଷୟ ହେଲା ଟ୍ରାଫିକ୍ ପୋଲିସ କାଟିଥିବା ଚାଲାଣର ଲମ୍ବା ୨ ମିଟରରୁ ଅଧିକ ହେବ ।
ଶୁକ୍ରବାର ବିନା ହେଲମେଟରେ ସ୍କୁଟର ଚଲାଉଥିବା ବେଳେ ଅରୁଣ କୁମାରଙ୍କୁ ଟ୍ରାଫିକ ପୋଲିସ ଅଟକାଇଥିଲା । ଏହାପରେ ତାଙ୍କ ନାଁରେ ଏକ ବିରାଟ ଚାଲାଣ କଟିଥିଲା ଟ୍ରାଫିକ୍ ପୋଲିସ । ଜୋରିମାନା ନଦେଇପାରିବାରୁ ପୋଲିସ ଅରୁଣଙ୍କ ସ୍କୁଟରକୁଜବତ କରି ରଖିଛି ।
ସେହିଭଳି ଆଉ ଏକ ଘଟଣା ହେଉଛି ବେଙ୍ଗାଲୁରୁର ଅନ୍ୟଜଣେ ପରିବା ବିକାଳି ମଞ୍ଜୁନାଥ ଗୋଟିଏ ବର୍ଷ ମଧ୍ୟରେ ୭୦ ଥର ହେଲମେଟ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ୧୫,୪୦୦ ଟଙ୍କାର ଚାଲାଣ କାଟିଥିଲା ଟ୍ରାଫିକ୍ ପୋଲିସ ।