ବେଙ୍ଗାଲୁରୁ ହିଂସା: ସବୁ ପୋଲିସଙ୍କୁ ହତ୍ୟା କରିବା ଥିଲା ଦଙ୍ଗାକାରୀଙ୍କ ପ୍ଲାନ୍

ବେଙ୍ଗାଲୁରୁ: ମଙ୍ଗଳବାର ରାତିରେ ବେଙ୍ଗାଲୁରୁରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ମାମଲାର ବଡ ଖବର ସାମ୍ନାକୁ ଆସିଛି ।  ଦଙ୍ଗାକାରୀ ଥାନାରେ ଥିବା ସବୁ ପୋଲିସ କର୍ମଚାରୀଙ୍କ ହତ୍ୟା ଲକ୍ଷ୍ୟ ନେଇ ଆସିଥିଲେ । ଦଙ୍ଗାରେ ସାମିଲ ଥିବା ୩ ଶହ ଅପରାଧୀଙ୍କୁ ୫ ଜଣ ନେତୃତ୍ୱ ଦେଉଥିଲେ । ପୋଲିସ ତଦନ୍ତରୁ ଏଭଳି କଥା ସାମ୍ନାକୁ ଆସିଛି ।  ଆକ୍ରମଣାକାରୀ ମଙ୍ଗଳବାର ରାତିରେ ଗରିଲା ଯୁଦ୍ଧନୀତି ଅବଲମ୍ବନ କରି ପୋଲିସ ଉପରେ ହମଲା କରିଥିଲେ । ବେଙ୍ଗାଲୁରୁ ହିଂସାରେ ଯାହା କିଛି ହୋଇଥିଲା ତାହା ପୋଲିସ ପାଇଁ ନୂଆ ଥିଲା ।

ବେଙ୍ଗାଲୁରୁର ସଙ୍କିର୍ଣ୍ଣ ଗଳି ଭିତରେ ଭିଡ ପୋଲିସ ଉପରେ ଗରିଲା ଯୁଦ୍ଧ ଶୈଳୀରେ ହମଲା କରୁଥିଲା । କବଲବୀରସାନ୍ଦ୍ରା,କେଜି ହଲ୍ଲି ଓ ଡିଜେ ହଲ୍ଲୀ ଅଂଚଳରେ ଦଙ୍ଗାକାରୀ ରାତି ଦୁଇଟା ପର୍ଯ୍ୟନ୍ତ ଉପଦ୍ରବ କରୁଥିଲେ । କେଜି ହଲ୍ଲୀ ଓ ଡିଜେ ହଲ୍ଲୀ ଥାନାରେ ଦଙ୍ଗାକାରୀ ପ୍ରଥମେ ତାଲା ପକାଇ ଦେଇଥିଲେ  । ତାଲା ପକାଇବା ପରେ ପୋଲିସ ବାହାନରେ ନିଆଁ ଲଗାଇ ଦିଆଯାଇଥିଲା । ଯେମିତି ପୋଲିସ ଦଙ୍ଗା ନିୟନ୍ତ୍ରଣ ପାଇଁ କେଉଁ ଆଡେ ଯାଇ ପାରିବ ନାହିଁ । ଏହି ଦୁଇଥାନାର ପୋଲିସକୁ ସାହାଯ୍ୟ କରିବାକୁ ବାକି ଅଂଚଳରୁ ପୋଲିସ ଆସିଥିଲା ।

ଖୋଦ ପୋଲିସ କମିଶନର ଯେତେବେଳେ ୭୫ ଜଣ ଅଧିକାରୀଙ୍କ ସହ  ଦଙ୍ଗା ନିୟନ୍ତ୍ରଣ ପାଇଁ ରାସ୍ତାକୁ ଓହ୍ଲାଇଲେ ସେତେବେଳେ ତାଙ୍କ ଉପରକୁ ପଥର ମାଡ ହୋଇଥିଲା । ପ୍ରଥମେ ରାସ୍ତାରେ ଥିବା ଷ୍ଟ୍ରିଟ୍ ଲାଇଟକୁ ପଥର ମାଡ କରି ଭାଙ୍ଗି ଦିଆଯାଇଥିଲା । ପରେ ପୋଲିସ ଉପରକୁ ପଥର,ବୋତଲ ସହ ପେଟ୍ରୋଲ ବମ ଫୋପଡା ଯାଇଥିଲା । ପୋଲିସକୁ ଆତ୍ମରକ୍ଷା ପାଇଁ ଫାଙ୍କା ଗୁଳି ମାଡ କରିବାକୁ ପଡିଥିଲା । ପରେ ପୋଲିସ ଗୁଳିରେ ତିନି ଜଣ ଦଙ୍ଗାକାରୀ ପ୍ରାଣ ହରାଇଥିଲେ ।

Leave a Reply