ଭୋଟ୍ ପୂର୍ବରୁ ବାଇଆ ହେଲାଣି ନେତା, ଦେଉଛନ୍ତି ହତ୍ୟା ଧମକ
1 min readକୋଲକାତା: ୨୦୨୧ ପାଇଁ ସମରସଜ୍ଜା । ପଶ୍ଚିମବଙ୍ଗରେ ଉଷ୍ମ ହେଉଛି ରାଜନୈତିକ ଗତିବିଧି । ରାଜ୍ୟରେ ବାରମ୍ବାର ହିଂସା, ଗୁଣ୍ଡାରାଜ ପାଇଁ ଲୋକ ଶାସକ ଟିଏମସି ଠାରୁ ଦୂରେଇ ଯାଉଛନ୍ତି । ନିଜକୁ ଅନ୍ୟ ଦଳଠାରୁ ଅଲଗା (The Party with a difference) ବୋଲି ଦାବି କରୁଥିବା ବିଜେପି ଏବେ ସମାନ ରାସ୍ତା ଆପଣାଉଛି । ଏକଥା ଆମେ କହୁନୁ । ବରଂ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଏମିତି ବୟାନ ଦେଇଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନ ତ ଆସନ୍ତା ବର୍ଷ ହେବ । କିନ୍ତୁ, ଏବେଠୁ ନେତାଙ୍କ ପାଟି ଆଉ ବୋଲ ମାନୁନି ।
ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ, ମମତା ବାନାର୍ଜୀଙ୍କ ତୃଣମୂଶ କଂଗ୍ରେସକୁ ଧମକ ଦେଇଛନ୍ତି । ଦିଲୀପ TMC ସମର୍ଥକଙ୍କୁ କହିଛନ୍ତି- ‘ସୁଧୁରି ଯାଅ, ନହେଲେ ହାତ-ଗୋଡ଼ ଭାଙ୍ଗି ଦିଆଯିବ । ଜୀବନରେ ବି ମାରି ଦିଆଯାଇ ପାରେ ।’ ରବିବାର ପଶ୍ଚିମୀ ମେଦିନପୁର ଜିଲ୍ଲାର ହଳଦିଆ କସବେ ରାଲିରେ ଦଳର ପ୍ରଦେଶ ସଭାପତି ଏଭଳି ଧମକଭରା କଥା କହିଛନ୍ତି ।
‘୬ ମାସରେ ସୁଧୁରି ଯାଅ’
ଦିଲୀପ ଘୋଷ କହିଛନ୍ତି- ବିଧାନସଭା ନିର୍ବାଚନ ରାଜ୍ୟ ପୋଲିସ ଅଧୀନରେ ନାହିଁ । ଏହା କେନ୍ଦ୍ର ସୁରକ୍ଷା ବଳ ମୁତୟନରେ ଅନୁଷ୍ଠିତ ହେବ । TMC ସମର୍ଥକ ଏବେ ଯାଏଁ ସୁଧୁରି ନାହାଁନ୍ତି ଏବଂ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି । ସେମାନଙ୍କୁ ଆସନ୍ତା ୬ ମାସ ମଧ୍ୟରେ ସୁଧୁରି ଯିବା ଉଚିତ୍ । ନହେଲେ ହାଡ଼ ଭାଙ୍ଗି ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ । ତଥାପି ନମାନିଲେ ଶ୍ମଶାନ ଯିବାକୁ ପଡ଼ିବ ।
ଶାହ ଦେଲେକି ସାହସ ?
୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ଲାଗି ଆସନ୍ତାବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ନିର୍ବାଚନ ହୋଇପାରେ । ବିଜେପି ଏଠାରେ ୨ ଶହ ଆସନ ଜିତିବା ଲକ୍ଷ୍ୟ କରି ଗୋଟି ଚାଳନା କରୁଛି । ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ । ସେ କହିଥିଲେ- ତୁଷ୍ଟୀକରଣ ରାଜନୀତି ଦ୍ୱାରା ପଶ୍ଚିବଙ୍ଗର ମହାନ୍ ପରମ୍ପରା ଖଣ୍ଡିତ ହୋଇଛି । ଆପଣ କଂଗ୍ରେସକୁ ସୁଯୋଗ ଦେଲେ, କମ୍ୟୁନିଷ୍ଟଙ୍କୁ ବି ଦେଲେ । ଏବେ ଦୁଇ ଥର ମମତା ଦିଦିଙ୍କୁ ସୁଯୋଗ ଦେଇଛନ୍ତି । ଥରେ ମୋଦିଙ୍କୁ ସୁଯୋଗ ଦିଅନ୍ତୁ । ଆମେ ୫ ବର୍ଷରେ ସୁନାର ପଶ୍ଚିମବଙ୍ଗ କରିଦେବାର ପ୍ରତିଶ୍ରୁତି ଦେଉଛୁ ।