ବେଲାରୁଷ ରାଷ୍ଟ୍ରପତିଙ୍କ କରୋନା ଟିପ୍ସ : ଭୋଡକା ପିଅ ,ବିନ୍ଦାସ ରୁହ

ନୂଆଦିଲ୍ଲୀ: କରୋନାଭାଇରସ୍ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ୩୫ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଇସାରିଲାଣି । ପ୍ରତ୍ୟେକ ଦେଶ ଏହାର ଭୟାବହତା ଅନୁଭବ କରୁଛି ।  ଏହାର ମୁକାବିଲା କରିବାକୁ ସବୁ ପ୍ରକାର କଠୋର ପଦକ୍ଷେପ ନେଉଛି । କିନ୍ତୁ ବେଲାଋଷର ରାଷ୍ଟ୍ରପତି ଆଲେକଜାଣ୍ଡାର୍ ଲୁକାଶେଂକୋ ଅଚିନ୍ତାରେ । ସେଠାରେ  ସଂକ୍ରମଣକୁ ଏଡାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏବେ ବି ସେଠାର ଷ୍ଟାଡିୟମରେ ଫୁଟବଲ୍ ଏବଂ ଆଇସି ହକି ଖେଳାଯାଉଛି । ଲୁକାଶେଂକୋ କହିଛନ୍ତି ଯେ – ବେଲାଋଷରେ କରୋନା ହେବାର ଆଶଙ୍କା ନାହିଁ । ତେଣୁ ଲୋକମାନେ ନିଶାଦ୍ରବ୍ୟ ପିଇ ଶାନ୍ତିରେ ବଞ୍ଚିବା ଉଚିତ।

ଡ଼ରି ଡ଼ରି ବଞ୍ଚିବା ଅପେକ୍ଷା ସବୁ କାମ କରି ଯଦି ଜୀବନ ଯାଉଛି ତ ବହୁତ ଭଲ

୧୯୯୦ରେ ସୋଭିଏତ୍ ୟୁନିଅନ୍ ବିଘଟନ ପରେ ବେଲାଋଷ ନାମକ ଏକ ନୂତନ ଦେଶର ଜନ୍ମ ହୋଇଥିଲା । ଏହାର ଜନସଂଖ୍ୟା ପ୍ରାୟ ୯୦ଲକ୍ଷ ଥିବାବେଳେ ଲୁକାଶେଂକୋ ୧୯୯୪ରୁ କ୍ଷମତାରେ ଅଛନ୍ତି । ଆଶ୍ଚର୍ଯ୍ୟକର କଥା ହେଲା ଏଠାରେ  ୯୨ଜଣ ଲୋକ ସଂକ୍ରମିତ ହୋଇଛନ୍ତି ।  ନିଜ ନିଜ ଦେଶର ସୁରକ୍ଷା ପାଇଁ ସମସ୍ତେ ଅଣ୍ଟାଭିଡ଼ିଥିବା ବେଳେ ବେଲାଋଷର ରାଷ୍ଟ୍ରପତିଙ୍କ ଅସାବଧାନତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କେବଳ ସେତିକି ନୁହେଁ ନିକଟରେ ସେ ନିଜେ ଏକ ବରଫ ହକି ମ୍ୟାଚରେ ଭାଗ ନେଇଥିଲେ । ଏହା ପରେ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ‘କରୋନାକୁ ଡରି ଯିଇଁବା ଅପେକ୍ଷା,ତା’ ସାମ୍ନାରେ ମୁଣ୍ଡ ନୁଆଁଇବା ଅପେକ୍ଷା ମରିବା ଭଲ ।  ଆପଣଙ୍କୁ ଏଠାରେ କୌଣସି ଭାଇରସ ଉଡୁଥିବାର ଦେଖାଯାଉଛି କି ? କାଇଁ ମୋତେ ତ ଦେଖା ଯାଉନାହିଁ । ”

ଏବଂ ପରାମର୍ଶ ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି

କେବଳ ସେତିକି ନୁହେଁ ଲୁକାଶେଂକୋ କହିଛନ୍ତି ଯେ , ଭାଇରସରୁ ମୁକ୍ତି ପାଇବା ପାଇଁ ଖେଳ ହେଉଛି ସର୍ବୋତ୍ତମ ଉପାୟ। ଲୋକମାନେ ପ୍ରତିଦିନ ୫୦ମିଲି ଭୋଡକା  ପିଇବା ଉଚିତ୍ ଏବଂ ପ୍ରତ୍ୟେକ ଦିନ ଗରମ ପାଣିରେ ଗାଧୋଇବା ଉଚିତ । ବିଲରେ କାମ କରିବା ସହ ଠିକ୍ ସମୟରେ ଜଳଖିଆ ଖାଇବା ଅତ୍ୟନ୍ତ ଜରୁରୀ । ଏହି ଦେଶରେ ବର୍ତ୍ତମାନ ଲକଡାଉନ୍, ସୀମା ସିଲ୍ କିମ୍ବା ସାମାଜିକ ଦୂରତା ପାଇଁ କୌଣସି ଆବଶ୍ୟକତା ନାହିଁ । କରୋନାଭାଇରସ ପାଇଁ ଋଷରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଯାହାକୁ ବେଲାଋଷର ରାଷ୍ଟ୍ରପତି ଉପହାସ କରିଛନ୍ତି ।

ସରକାରୀ କାର୍ଯ୍ୟକ୍ରମ ବାତିଲ କରାଯିବ ନାହିଁ

ମେ ୯କୁ ବେଲାଋଷ, ବିଜୟ ଦିବସ ଭାବେ ପାଳନ କରେ । ଏହି ଦିନ ଲକ୍ଷାଧିକ ଲୋକ ରାସ୍ତାରେ ଦେଖିବାକୁ ମିଳନ୍ତି । ଲୁକାଶେଂକୋଙ୍କ ଅନୁଯାୟୀ, ବିଜୟ ଦିବସ କାର୍ଯ୍ୟକ୍ରମ ବାତିଲ ହେବ ନାହିଁ । ସରକାରୀ କାର୍ଯ୍ୟକ୍ରମ ଠିକ୍ ସମୟରେ ଅନୁଷ୍ଠିତ ହେବ । ଭଗବାନ ଆମକୁ ରକ୍ଷା କରିବେ । ଅନେକ ଲୋକ କହୁଛନ୍ତି ଯେ ସୀମାକୁ ସିଲ୍ କରନ୍ତୁ । କିନ୍ତୁ ମୁଁ ଏହା ଆଦୌ କରିବି ନାହିଁ । ଏବଂ କୌଣସି ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ନାହିଁ ଯଦି ଅତ୍ୟନ୍ତ ଆବଶ୍ୟକତା ପଡ଼େ ସେତେବେଳେ ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ।

Leave a Reply