ବିହାରରେ ଜଙ୍ଗଲ ରାଜ, ସ୍କୁଲରେ ସପ୍ତାହେ ହେଲା ବନ୍ଧକ ଅଛନ୍ତି ୨୫୦ ବିଦ୍ୟାର୍ଥୀ !

ପାଟନା : ବିହାରର ବେଗୁସରାୟରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦବଙ୍ଗଗିରି ପାଇଁ ସପ୍ତାହେ ବେ ସ୍କୁଲରେ ବନ୍ଧକ ହୋଇ ରହିଛନ୍ତି ୨୫୦ ଛାତ୍ରଛାତ୍ରୀ । ଏପରି ଅବସ୍ଥା ଯେ, ନା ପିଲାମାନେ ନିଜ ଘରକୁ ଯାଇ ପାରୁଛନ୍ତି, ନା ତାଙ୍କ ଅଭିଭାବକ ସେମାନଙ୍କ ପାଖକୁ ଆସିପରୁଛନ୍ତି । ପାଖାପାଖି ୭ ଦିନ ଧରି ବିଦ୍ୟାଳୟରେ ଅତି ଦୟନୀୟ ସ୍ଥିତିରେ ବନ୍ଧକ ଭାବେ ରହିଛନ୍ତି ବିଦ୍ୟାର୍ଥୀ । ପୋଲିସକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କୁ ମୁକୁଳାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଘଟଣାଟି ଶାହେବପୁରର କମାଲ ଥାନା ସ୍ଥିତ ସମସ୍ତିପୁର ଗାଁର । ଏଠାରେ ଥିବା ଆଞ୍ଚଳିକ ବିଦ୍ୟାଳୟରେ ପାଖାପାଖି ୭୦୦ ପିଲା ପାଠ ପଢନ୍ତି । ଏଥି ମଧ୍ୟରୁ ୨୫୦ ପିଲା ସ୍କୁଲ ପରିସରରେ ରହିବା ସହ ପାଠ ପଢି ଥାନ୍ତି । କିଛି ଦିନ ତଳେ ସେହି ଅଞ୍ଚଳରେ କିଛି ପ୍ରଭାବଶାଳୀ ଲୋକ ଦବଙ୍ଗଗିରି ଦେଖାଇ ସ୍କୁଲ ରାସ୍ତା ଅବରୋଧ କରି ରଖିବା ସହ ସ୍ଥାନେ ସ୍ଥାନେ ଗାତ କରି ଦେଇଛନ୍ତି । ଏହାଛଡା ସ୍କୁଲ ଗେଟ ବାହାରେ ବୁଲଡୋଜର ରଖି ମୁଖ୍ୟଫାଟକ ବନ୍ଦ କରିଦେଇଛନ୍ତି । ଯାହା ଫଳରେ ସ୍କୁଲରେ ରହୁଥିବା ଛାତ୍ରଛାତ୍ରୀ ବାହାରକୁ ଆସି ପାରୁନାହାନ୍ତି ।