ରାସ୍ତା କଡ଼ରେ ଭିକାରୀ ବୁଲିଲେ ଉଠାଇ ନେବ ବିଏମ୍‌ସି ସ୍କ୍ୱାଡ୍

ଭୁବନେଶ୍ୱର : ପାର୍ବଣରେ ରାସ୍ତା କଡରେ ବୁଲିବେନି ଭିକାରୀ । ରାସ୍ତାରେ ଦେଖିଲେ ଉଠାଇ ନେବ ବିଏମ୍‌ସି ସ୍କ୍ୱାଡ୍ । ଭୁବନେଶ୍ବରକୁ ଭିକାରୀ ମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରକୁ ବଞ୍ଜାରାମାନେ ଆଉ ଥରେ ଆସିବା ଆରମ୍ଭ କରିଦେଇଛନ୍ତି ।

କେତେକ ମନ୍ଦିରରେ ଭିକାରୀ ବସିବା ଦେଖାଯାଉଛି । ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ, ଏହାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ପାର୍ବଣ ଋତୁରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ କୌଣସି ବି ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍‌ସିର ତିନୋଟି ଜୋନ୍‌ରେ ୩ଟି ସ୍କ୍ୱାଡ୍ ଗଠନ କରାଯିବ । ଏହି ସ୍କାଡ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ବାବଧାନରେ ରହିବ ।

ମନ୍ଦିର ଓ ପୂଜା ସ୍ଥଳିରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କ୍ୱାଡ୍ ନିୟମିତ ବୁଲି ଦେଖିବାକୁ କୁହାଯାଇଛି । କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ, ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।