ପୁଅ ମୁହଁ ଦେଖିବା ଆଗରୁ ବାପାକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ଗୋଟିଏ ଜୀବନର ଆରମ୍ଭ । ଆଉ ଗୋଟିଏ ଜୀବନର ଅନ୍ତ । ପୁଅ ପାଇଁ ଅପେକ୍ଷା ଥିଲା । ପୁଅ ଆସିଲା ହେଲେ ବାପା ପୁଅ ମୁହଁ ଦେଖି ପାରିଲା ନାହିଁ । କାଳ ନଦୀର କୁମ୍ଭୀର ମୁହଁରେ ପୁଅ ମୁହଁ ଦେଖିବା ଆଗରୁ ଚାଲିଗଲା ବାପାର ଜୀବନ । ଏହା କୌଣସି ଫିଲ୍ମ କାହାଣୀ ନୁହେଁ । ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ନଳପାହୀ ଗାଁର କଥା ।

ନଳପାହୀ ଗ୍ରାମର ଶିବପ୍ରସାଦ ବେହେରାଙ୍କର ୩ ଝିଅ ଥିଲେ । ପୁଅଟିଏ ହେଉ ବୋଲି ତାଙ୍କର ବହୁ ଆଶା ଥିଲା । ଦୁହେଁ ସ୍ବାମୀ ସ୍ତ୍ରୀ କେତେ ମାନସିକ, କେତେ ବ୍ରତ କରିଥିଲେ। ହେଲେ ବିଧିର ଥିଲା ଅଲଗା, କିଏ ଜାଣିଥିଲା ଏପରି ଖୁସି ସମୟରେ ଦୁଃଖର ପାହାଡ ତାଙ୍କ ମୁଣ୍ଡ ଉପରେ ଖସିପଡ଼ିବ ବୋଲି ।  ପୁଅ ମୁହଁ ଦେଖିବା ଆଗରୁ ତାଙ୍କୁ ଟାଣି ନେଇଛି କୁମ୍ଭୀର । ଖୁସିରେ ପରିବେଶ ଫାଟି ପଡ଼ିବା ସମୟରେ ଛାଇ ଯାଇଛି ଦୁଃଖର କଳା ବାଦଲ ।

୩ ଝିଅ ପତ୍ନୀ ସରସ୍ବତୀଙ୍କୁ ନେଇ ବେଶ ହସଖୁସିରେ ଚାଲିଥିଲା ଶିବପ୍ରସାଦଙ୍କର ସଂସାର। ବୁଧବାର ରାତିରେ ଶିବ ଗାଁ ପାଖରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ଡଙ୍ଗା ଧରି ରାତିସାରା ଖୋଜାଖୋଜି କରିଥିଲେ । ଶିବପ୍ରସାଦଙ୍କୁ ଖୋଜିବା ବେଳେ ଘରେ ପତ୍ନୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପରଦିନ ସକାଳ ସୁଦ୍ଧା ଶିବପ୍ରସାଦଙ୍କର କୌଣସି ପତ୍ତା ମିଳି ନଥିଲା । ଅନ୍ୟପଟେ ପତ୍ନୀଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ଶିବପ୍ରସାଦଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ନଦୀରୁ ମିଳିଥିଲା । ଅନ୍ୟପଟେ ପ୍ରସବ ବିଳମ୍ବ ହେବାରୁ ସରସ୍ବତୀଙ୍କୁ ବାପଘର ପଟ୍ଟାମୁଣ୍ଡାଇ ବେଲତଳକୁ ନିଆଯାଇଥିଲା ।

ଶନିବାର ସେ ଏକ ପୁତ୍ର ସନ୍ତାନକୁ ଯନ୍ମ ଦେଇଥିଲେ । ପୁତ୍ର ହେବା ଖୁସିରେ ସେ ଖୁସି ହେବେ କ’ଣ ସ୍ବାମୀଙ୍କ ଏପରି ଖବର ଶୁଶି ତାଙ୍କ ଆଖିରୁ ଲୁହ ଶୁଖୁନି । ପୁଅ ମୁହଁ ଦେଖିବା ଆଗରୁ ବାପା ଚାଲିଯିବା ଘଟଣାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଶିବପ୍ରସାଦଙ୍କର ୯ , ୭, ଏବଂ ୫ ବର୍ଷର ଝିଅ ତାଙ୍କୁ ଖୋଜୁଛନ୍ତି । ଏହି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଶିବପ୍ରସାଦଙ୍କ ମୃତ୍ୟୁ ପରେ ପରିବାର ପୂରା ଅସହାୟ ହୋଇପଡ଼ିଛନ୍ତି ।

ଜୀବନ ପାଣିଫୋଟକା । ମୃତ୍ୟୁ ହିଁ ଅନ୍ତିମ ସତ୍ୟ । ଆଉ ଜନ୍ମ ସେହି ସତ୍ୟ ଆଡକୁ ଯାତ୍ରା । କେବେ ଯାତ୍ରା ଲମ୍ବା ହୁଏ,କେବେ ଯାତ୍ରାରେ ହଠାତ ବିରାମ ଲାଗେ । ଏହା ବାଦ ବି ଜୀବନ ଚାଲିଥାଏ । ବାପା ପୁଅ ମୁହଁ ଦେଖିବାକୁ ରହିଲା ନାହିଁ । ପୁଅ ବାପାକୁ କେବେ ଦେଖି ପାରିବ ନାହିଁ । କିନ୍ତୁ ଜୀବନ ଚାଲିବ । ତା’ ଗତିରେ.. ତା’ ରୁଟିନରେ..