ବିଜେଡିରେ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜୁ ଜନତା ଦଳରେ ସାମିଲ ହେଲେ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ଇଂଜିନିୟର ପୁନମ ପ୍ରିୟଦର୍ଶିନୀ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ପୂନମ ବିଜୁଜନତା ଦଳରେ ଯୋଗ ଦେବା ସହ ଏକାଧିକ ସମର୍ଥକ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ର ପୁନମଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପୁନମ ପ୍ରିୟଦର୍ଶିନୀ ଦଳରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର , ବିଧାୟକ ଅରୁଣ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ବିଜେଡିରେ ପୁନମ ପ୍ରିୟଦର୍ଶୀ ଯୋଗ ଦେଇଛନ୍ତି। ସେ ସ୍ବାଧୀନ ଭାବରେ ଦଶପଲ୍ଲା ଏନ୍ ଏ ସି ର ଚେୟାରମେନ୍ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଥିଲେ । ସମସ୍ତଙ୍କ ସହଯୋଗରେ ଦଶପଲ୍ଲାର ବିକାଶ ହେବ ବୋଲି ସେ କହିଛନ୍ତି। ଦିନକୁ ଦିନ ବିଜୁଜନତା ଦଳ ଶକ୍ତିଶାଳୀ ହେଉଛି । ଆଗକୁ ଏ‌ଇ ଧାରା ଜାରି ରହିବ ବୋଲି ଅରୁଣ କୁମାର ସାହୁ ଦମ୍ଭୋକ୍ତି କରିଛନ୍ତି।