କେବଳ ସିଦ୍ଧୁ ନୁହଁନ୍ତି ତାଙ୍କ ପୂର୍ବରୁ ଏହି ବଡ଼ ବଡ଼ ନେତା ଯାଇସାରିଛନ୍ତି ଜେଲ୍

ନୂଆଦିଲ୍ଲୀ: ନିଜର ଦୁର୍ନୀତି ମନ ବୃତ୍ତି ଏମିତି କିଛି ଲୋକଙ୍କୁ ଜେଲରେ ଭର୍ତ୍ତି କରିଛି ଯେଉଁମାନେ କେବେ ଶାସନ ଗାଦିରେ ବସିଥିଲେ । ଏହି ଧାରା କାହିଁ କେତେ ଦିନରୁ ଚାଲି ଆସିଛି । ଏବେ ଏଥିରେ ଆଉ ଏକ ନାଁ ଯୋଡି ହୋଇଛି । ସେ ହେଉଛନ୍ତି କ୍ରିକେଟରରୁ ରାଜନେତା ପାଲଟି ଥିବା ନବଜୋତ ସିଂହ ସିଦ୍ଧୁ । ତାଙ୍କୁ ଗୁରୁବାର ସୁପ୍ରିମକୋର୍ଟ ୧ ବର୍ଷ ଜେଲ୍ଦଣ୍ଡ ଦେଇଛନ୍ତି । ତେବେ ସିଦ୍ଧୁଙ୍କ ପୂର୍ବରୁ ଆଉ ୭ ଜଣ ହାଇପ୍ରୋଫାଇଲ ନେତା ମଧ୍ୟ ଜେଲ୍ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ମଧ୍ୟ ରହିଛନ୍ତି।
ଆସନ୍ତୁ ଜାଣିବା ଏମିତି କିଛି ମହାରଥିଙ୍କ ବିଷୟରେ ଯେଉଁମାନେ ଦୁର୍ନିତି ଗ୍ରସ୍ତ ହୋଇ ଏବେ ଜେଲ ଦଣ୍ଡ ଭୋଗିଛନ୍ତି ।
ଏଥିରେ ପ୍ରଥମ ନାଁ ହେଉଛି ଜେ ଜୟଲଳିତା
ଦୁର୍ନୀତି ମାମଲାରେ ଜୟଲଳିତା ୨୦୧୪ ସେପ୍ଟେମ୍ବରରେ ଦୋଷୀ ସାବ୍ୟସ୍ତ ହୋଇ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତଙ୍କ ଦ୍ବାରା ୪ ବର୍ଷର ଜେଲ ଦଣ୍ଡାଦେଶ ପାଇଥିଲେ । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ସେତେବେଳେ ଏହି ୬୬ ବର୍ଷୀୟ ଏଆଇଏଡିଏମକେ ନେତ୍ରୀଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଜେଲ୍ଦଣ୍ଡ ସହିତ ତାଙ୍କୁ ୧୦ କୋଟି ଟଙ୍କାର ଜରିମାନା ମଧ୍ୟ ହୋଇଥିଲା । ଏହି ରାୟ ଆସିବା ପରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ନିଜ ମୁଖ୍ୟମନ୍ତ୍ରୀ ପଦବି ହରାଇଥିଲେ ଏବଂ ଜେଲ୍ ଯାଇଥିଲେ । କିନ୍ତୁ ୨୦୧୫ ମେ ୧୧ ତାରିଖରେ ସେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ସବୁ ଅଭିଯୋଗରୁ ମୁକ୍ତ ହୋଇଥିଲେ।
ଆଉ ଗୋଟେ ନାଁ ହେଉଛି ଶିବୁ ସୋରେନ୍
ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ତଥା ଜେଏମଏମ ନେତା ଶିବୁ ସୋରେନଙ୍କୁ ଦିଲ୍ଲୀର ଏକ ଅଦାଲତ ୨୦୦୬ ସେପ୍ଟେମ୍ବର ୫ ତାରିଖରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ଏଥିସହିତ ୫ ଲକ୍ଷ ଟଙ୍କାର ଜରିମାନା ରାଶି ମଧ୍ୟ ତାଙ୍କ ଠାରୁ ଆଦାୟ କରି ପୀଡ଼ିତଙ୍କ ପରିବାରକୁ ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ । ୧୯୯୪ ମସିହାରେ ତାଙ୍କ ବ୍ୟକ୍ତିଗତ ସଚିବ ଶଶି ନାଥ ଝାଙ୍କୁ ଅପରହଣ ଓ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଦେଇଥିଲେ। କିନ୍ତୁ ୨୦୦୭ ଅଗଷ୍ଟ ୨୨ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣ କରିବାରେ ସିବିଆଇ ବିଫଳ ହୋଇଥିବା ଦର୍ଶାଇ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ପରେ ଏହି ରାୟ ମଧ୍ୟ ୨୦୧୬ ଏପ୍ରିଲରେ ସୁପ୍ରିମ କୋର୍ଟରେ କାଏମ ରହିଥିଲା।
ବଙ୍ଗାରୁ ଲକ୍ଷ୍ମଣ
ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବଙ୍ଗାରୁ ଲକ୍ଷ୍ମଣଙ୍କୁ ସିବିଆଇ ଅଦାଲତ ୨୦୧୨ ଏପ୍ରିଲରେ ୪ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଦଳର ମୁଖ୍ୟାଳୟରେ ଜଣେ ଛଦ୍ମବେଶୀ ସାମ୍ବାଦିକଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଡିଲର ଭାବେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଦଣ୍ଡିତ କରାଯାଇଥିଲା। ବଙ୍ଗାରୁ ପ୍ରଥମ ରାଜନେତା ଯେ କି ଷ୍ଟିଙ୍ଗ ଅପରେସନରେ ଧରାପଡ଼ି ଦଣ୍ଡିତ ହୋଇଥିଲେ। ଏପରିକି ସେ ହେଉଛନ୍ତି କୌଣସି ଦଳର ପ୍ରଥମ ସଭାପତି ଯେ କି ଦୁର୍ନୀତି ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି।
ଏ ରାଜା
୨ଜି ଦୁର୍ନୀତି ମାମଲାରେ ପୂର୍ବତନ ଟେଲିକମ୍ ମନ୍ତ୍ରୀ ତଥା ଡିଏମକେ ନେତା ଏ ରାଜାଙ୍କୁ ୧୫ ମାସ ଜେଲ୍ ଯିବାକୁ ପଡ଼ିଥିଲା। ୨୦୧୧ ଫେବ୍ରୁଆରି ୨ରେ ସେ ଜେଲ ଯାଇଥିବାବେଳେ ୨୦୧୨ ମେ ୧୨ରେ ତାଙ୍କୁ ଜାମିନ ମିଳିଥିଲା। ୨ଜି ଦୁର୍ନୀତି ମାମଲାରେ ଏ ରାଜା ସବୁଠୁ ଦୀର୍ଘ ଦିନ ଧରି ଜେଲ୍ରେ ରହିଛନ୍ତି। ତାଙ୍କ ଦଳୀୟ ସହକର୍ମୀ ଏବଂ ଡିଏମ୍କେ ମୁଖ୍ୟ ଏମ୍ କରୁଣାନିଧୀଙ୍କ ଝିଅ କାନିମୋଝି ଏହି ମାମଲାରେ ୬ ମାସ ଜେଲ୍ରେ ଥିଲେ।
ସୁରେଶ କାଲମାଡ଼ି
ପୂର୍ବତନ କଂଗ୍ରେସ ନେତା ସୁରେଶ କାଲମାଡ଼ି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କମିଟିର ଅଧ୍ୟକ୍ଷ ଥିଲେ। କିନ୍ତୁ ଏଥିରେ ଦୁର୍ନୀତି ମାଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୧ ଏପ୍ରିଲ ୨୫ରେ ଗିରଫ କରିଥିଲେ। ସେ ୯ ମାସ ଜେଲ୍ରେ ରହିବା ପରେ ଜାମିନରେ ମୁକୁଳିଥିଲେ।