ଆନ୍ତଃରାଜ୍ୟ ଅପରାଧୀ ସାବଧାନ, ଅପରାଧୀଙ୍କ କେସ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର

ଭୁବନେଶ୍ବର:  ଆନ୍ତଃରାଜ୍ୟ ଅପରାଧୀ ସାବଧାନ। ରାଜ୍ୟ ବାହାର ଜେଲରୁ ନିଆଯାଉଛି କ୍ରିମିନାଲଙ୍କ ତଥ୍ୟ । ଅପରାଧୀଙ୍କ କେସ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର।ବ୍ୟାପକ ହେଉଛି ଭଡାଟିଆ ଚିହ୍ନଟ ପ୍ରକ୍ରିୟା । ଆନ୍ତଃରାଜ୍ୟ ଅପରାଧୀଙ୍କୁ ଆଉ ତ୍ରାହି ନାହିଁ । ଆଇନକୁ ହାତକୁ ନେଲେ ଏଥର ସିଧା ଏନକାଉଣ୍ଟର । ବାହାର ରାଜ୍ୟର ପୋଲିସର ସ୍ପେଶାଲ ଟିମ ଓ କମିଶନରେଟ ପୋଲିସ ମଧ୍ୟରେ ଏ ନେଇ ଆଲୋଚନା ପରେ ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ସମ୍ପର୍କରେ ତନାଘନା କରାଯାଉଛି । ନିକଟ ଅତୀତରେ ବାହାର ରାଜ୍ୟରେ ଘଟିଥିବା ଅପରାଧରେ ଅପରାଧୀଙ୍କ ଷ୍ଟାଇଲ ଅଫ ଅପରେସନ ବିଷୟରେ ତଥ୍ୟ ଏକାଠି କରାଯାଇଛି । ବିଭିନ୍ନ ଜେଲରୁ ହାର୍ଡକୋରଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏପରିକି ଓଡ଼ିଶାର କିଛି ହାର୍ଡକୋରଙ୍କ ସମ୍ପର୍କରେ ତେଲେଙ୍ଗାନା , ବିହାର, ଆନ୍ଧ୍ରପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ ସହଯୋଗର ହାତ ବଢ଼ାଇଛି କମିଶନରେଟ ପୋଲିସ । ପୋଲିସ ଆକ୍ସନକୁ ଆହୁରି ବ୍ୟାପକ କରିବା ପାଇଁ ସହର ଭିତରେ ଭଡାଟିଆ ଚିହ୍ନଟ ପ୍ରକ୍ରିୟା କୁ ମଧ୍ୟ ଜୋରଦାର କରାଯାଇଛି । ଟୁଇନ ସିଟି ପରେ, ଆଗକୁ ଏହି ଅଭିଯାନ ସାରା ଓଡ଼ିଶାରେ ବ୍ୟାପକ କରିବାକୁ ମଧ୍ୟ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

ଏୟାରଫିଲଡ଼ ଥାନା ଲବଣଗିରିରୁ ଚେନ ଝାମ୍ପି ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଦୁଇଟି ସ୍ଥାନରୁ ସାଇବର ଠକଙ୍କ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଲୁଟିଲେ । ବିବାହ ମଣ୍ଡପରୁ ମାରାଥନ ଚୋରି କରି ଘାଇଲା କଲେ । ପୁଣି ଶେଷରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲେ ଅପରାଧୀ । ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି  । ସମସ୍ତ କେସରେ ବାହାର ରାଜ୍ୟକୁ ଯାଇ ଅପରାଧୀଙ୍କୁ ଧରିଛି କମିଶନରେଟ ପୋଲିସ । ବିଗତ ଦିନରେ ଆନ୍ତଃରାଜ୍ୟ ଅପରାଧୀଙ୍କୁ ହୋଇଥିବା ୨ଟି ଏନକାଉଣ୍ଟର ହାର୍ଡକୋର ଙ୍କ ଛାତିରେ ପୁରାଇ ଦେଇଛି ଛନକା । ଆନ୍ତଃରାଜ୍ୟ ପେସାଦାର ଅପରାଧୀଙ୍କୁ ଗିରଫ ପରେ ,ସେମାନଙ୍କ ସମ୍ପତ୍ତି ବ୍ୟାଜପ୍ତି ନେଇ ମଧ୍ୟ ତ୍ୱରିତ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଆଗକୁ ଏହି ଅଭିଯାନ ଆହୁରି ବ୍ୟାପକ ହେବ ।