ହସୁଛି କାଶତଣ୍ଡୀ, ପାର୍ବଣ ପାଇଁ ସଜେଇ ହେଲାଣି ପ୍ରକୃତିରାଣୀ

ନନ୍ଦିଘୋଷ ବ୍ୟୁରୋ :   ଧରଣୀ ଛାତିରେ ଫୁଟିଲାଣି ଦେଖ

ଧବଳ ରଙ୍ଗର ହୀରା

ବାସ ତାର ନାହିଁ , ବିମୋହିତ କରେ

ମନମୁଗ୍ଧ ତା ଚେହେରା

ନା ସେ ବଗିଚାରେ ଫୁଟେ , ନା ସେ ଘର ଅଗଣାରେ ଫୁଟେ , ବିଲ, ମାଳ, ନଈକୂଳ ଅପନ୍ତରା ଇଲାକାରେ ଫୁଟେ ଆଉ ଆକର୍ଷଣର ପେଣ୍ଠସ୍ଥଳ ପାଲଟେ । ସୁଲୁସୁଲିଆ ପବନରେ ଦୋଳି ଖେଳିଖେଳି ବାଟୋଇଙ୍କୁ ଆନମନା କରେ କାଶତଣ୍ଡୀ । ଏମିତି କିଛି ସୁନ୍ଦର ଦୃଶ୍ଯପଟ୍ଟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଓ ବାରଙ୍ଗରେ । ରାସ୍ତା ପାର୍ଶ୍ବ ଠାରୁ ଆରମ୍ଭ କରି ପୋଖରୀ ହୁଡା ସବୁଠି ଦେଖିବାକୁ ମିଳୁଛି ମାଳମାଳ କାଶତଣ୍ଡିର ସମ୍ଭାର । ସୁଲୁସୁଲିଆ ପବନରେ ଦୋଳି ଖେଳି ଖେଳି ହସୁଛି କାଶତଣ୍ଡି। ଏହି ଅପୂର୍ବ ଦୃଶ୍ୟ ବାଟୋଇଙ୍କୁ ଅଟକାଇ ଘଡିଏ ଚାହିଁ ରହିବାକୁ ବାଧ୍ଯ କରୁଛି । କବିମାନେ ମଧ୍ଯ କାଶତଣ୍ଡିକୁ ଦେଖି ଆନମନା ହୋଇ ଉଠୁଛନ୍ତି । ଚଳଚଞ୍ଚଳ ହୋଇ ଉଠୁଛି କବିର କବିତା ।

ଶରତର ଆଗମନରେ ଧରଣୀ ବାନ୍ଧିଲାଣି  କାଶତଣ୍ଡିର ବେଣି । ଓଡ଼ିଆ ସଂସ୍କୃତି ଓ କାଶତଣ୍ଡୀ ମଧ୍ୟରେ ରହିଛି ଅନେକ ନିବିଡ଼ତା। କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଂକେତ ଦିଏ । ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେଯେମିତି ଆନମନା ହୋଇଉଠଛି ପ୍ରକୃତିରାଣୀ ।