ଶୀଘ୍ର ସରିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ସୌନ୍ଦର୍ଯ୍ୟକରଣ

ଭଦ୍ରକ: ଖୁବଶୀଘ୍ର ଶେଷ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ୪ ଗୁମୁଟ ଦ୍ବାର କବାଟ ହେବ ପିତଳ ଛାଉଣି । ଉଜ୍ବଳ ଆଲୋକରେ ଝଟକିବ ମନ୍ଦିର ପରିସର । ରାଜ୍ୟର ପ୍ରମୁଖ ଶୈବପୀଠ ତଥା ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ଓ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଛି ୬ କୋଟି ଟଙ୍କା ।

ବଦଳିବାରେ ଲାଗିଛି ମନ୍ଦିର ପରିସରର ରୂପରେଖ। ଶୀଘ୍ର କାମ ଶେଷ ହେବ ବୋଲି ସମୀକ୍ଷା ପରେ କହିଛନ୍ତି ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର। ମନ୍ଦିର ନବୀକରଣ କାମର ତଦାରଖ କରିବା ସହ ବାକି କାମ ଶୀଘ୍ର ସାରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ମନ୍ଦିର ଗର୍ଭଗୃହ ଚଟାଣ କାମ ଏକମାସ ମଧ୍ୟରେ ସାରିବାକୁ ସେବାୟତମାନେ ଦାବି ରଖିଥିଲେ । ଏଥିପାଇଁ ରାଜ୍ୟ ପ୍ରତ୍ନତ୍ତ୍ବତ ବିଭାଗ ସହ ଆଲୋଚନା କରାଯାଇ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପୀଠକୁ ଆସୁଥିବା ଭକ୍ତ ଓ ପର୍ଯ୍ଯଟକ ଯେପରି ଭଲ ଭାବେ ବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ ସେଥିପାଇଁ ସମସ୍ତ ସେବାୟତ ଯତ୍ନବାନ ହେବା ଦରକାର ବୋଲି ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସମୀକ୍ଷା ବୈଠକରେ ମନ୍ଦିରର ବରିଷ୍ଠ ସେବାୟତ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।