ଅନୁଗୁଳରେ ଛାତ୍ରଙ୍କୁ ନିସ୍ତୁକ ମାଡ଼, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଅନୁଗୁଳରେ : ଅନୁଗୁଳରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ଏଭଳି ମାଡ଼ ମାରିବାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହାକି ଏକ ଘରୋଇ ଶିକ୍ଷାନୁଷ୍ଠାନର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିରେ ରହିଛି ବିଦ୍ୟାଗୁରୁ ଏକାଡେମୀ ନାମକ ଏକ ଟ୍ୟୁସନ ସେଣ୍ଟର । ଯେଉଁଠି ପିଲା ପାଠ ପଢିବା ସହ ସେଠାରେ ଥିବା ହଷ୍ଟେଲରେ ରହନ୍ତି । ସମସ୍ତ ଛାତ୍ରଙ୍କୁ ଭୋର ୩ଟାରୁ ଉଠି ପାଠ ପଢିବାକୁ ବାଧ୍ୟ କରାଯାଏ । ହେଲେ ଆଜି ଭୋରରେ କିଛି ଛାତ୍ର ଉଠି ନଥିଲେ । ଏହାକୁ ନେଇ ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଛାତ୍ରଙ୍କୁ ଜଣ ଜଣ କରି ବାଡ଼ିରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଯାହାର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଛାତ୍ରଙ୍କୁ କିଭଳି ମାଡ଼ ମରାଯାଉଛି ତାହା ଏହି ଭିଡିଓରୁ ଜଣାପଡୁଛି । କିନ୍ତୁ ଏକ ଦାୟିତ୍ବବାନ ଗଣମାଧ୍ୟମ ହିସାବରେ ଆମେ ଏହି ଭିଡିଓକୁ ଦେଖାଇ ପାରିବୁନାହିଁ । ଛାତ୍ରଙ୍କୁ ଏଭଳି ନିସ୍ତୁକ ମାଡ଼ ମାରିବା ଘଟଣାକୁ ନିନ୍ଦା କରାଯାଇଛି । ଅନ୍ୟପଟେ ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ବିଦ୍ୟାଗୁରୁ ଏକାଡେମୀ ନାଁରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ ହୋଇଛି ।