ସଞ୍ଜ ନଇଁଲେ ଗାଁରେ ବୁଲୁଛନ୍ତି ଭାଲୁ, ଲୋକେ ଆତଙ୍କିତ

ଆନନ୍ଦନପୁର: ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଳତି, ବେଲସୁନ୍ଦରୀ, ଅଙ୍ଗାରୁଆ, ପୁରୁଣା ବାନ୍ଧଗୋଡା ଗାଁରେ ଭାଲୁ ଆତଙ୍କ । ସଞ୍ଜ ନଇଁଲେ ଏସବୁ ଗାଁ ଭିତରକୁ ପଶୁଛନ୍ତି ଭାଲୁ ଦଳ । ଲୋକଙ୍କ ମଧ୍ୟରେ ଭୟର ଆତଙ୍କ । ସୂର୍ଯ୍ୟାସ୍ତ ପରେ ଗାଁଗୁଡିପରେ ପଡି ଯାଉଛି ତାଟି କବାଟ ।

ଖରା ଦିନରେ ଲୋକଙ୍କ ବାଡ଼ି ବଗିଚାରେ ଫଳୁଥିବା ବରକୋଳି, ବେଲ, କାଜୁ ଖାଇବାକୁ ସନ୍ଧ୍ୟା ପରେ ଗାଁ ଗୁଡିକରେ ଭାଲୁ ପଶିବା ସହ ଏଣେ ତେଣେ ଧାଁଦୌଡ କରୁଛନ୍ତି ।

ଗତକାଲି ରାତି ଅଳତି ଗ୍ରାମର ମଦନମୋହନ ବରାଳଙ୍କ ଗଛରୁ ପଡୁଥିବା ବେଲ ଖାଇବାକୁ ଅଗଣାକୁ ପଶିଥିଲେ ୩ଟି ଭାଲୁ । କିଛି ସମୟ ସେଠାରେ ରହି ବେଲ ଖାଇବା ପରେ ଭାଲୁ ଗୁଡିକ ବେଲସୁନ୍ଦରି ଗାଁ ଭିତରକୁ ପଶି ଥିଲେ । ଗାଁ ଲୋକେ ହୋହାଲ୍ଲା କରିବାରୁ ଭାଲୁ ଗୁଡିକ ସେଠାରୁ ଅଙ୍ଗାରୁଆ ଗ୍ରାମକୁ ପଳାଇ ଯାଇଥିଲେ । ସେଠାରେ ମହିରଞ୍ଜନ କରଙ୍କ ଘରେ ପଶି ହାଣ୍ତିରୁ ତୋରାଣୀ ପାଣି ପିଇଥିଲେ । ଏହି ସମୟରେ ମହିରଞ୍ଜନଙ୍କ ପରିବାର ଲୋକେ ନିଦରୁ ଉଠି ପଡି ପାଟି କରିବାରୁ ଭାଲୁ ଗୁଡିକ ଜଙ୍ଗଲକୁ ପଳାଇ ଯାଇଥିଲେ ।

କିଛିଦିନ ହେଲା ଗାଁ ଦାଣ୍ତରେ ଭାଲୁ ପଲଙ୍କ ସହ ଲୋକଙ୍କ ମୁହାଁମୁହିଁ ହେଉଥିବା ଦେଖାଯାଇଛି । ଭାଲୁ ହିଂସ୍ର ବନ୍ଯ ଜନ୍ତୁ ହୋଇଥିବାରୁ ତାକୁ ଦେଖିଲେ ତା’ଠାରୁ ଦୂରେଇ ରହିବା ସହ ତାକୁ ତା’ ବାଟରେ ଯିବାକୁ ଦେବାକୁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଉଛି । ଏହାସହ ଭାଲୁଙ୍କୁ ଘଉଡାଇବାକୁ ସ୍ଥାନୀୟ ବନ କର୍ମଚାରୀଙ୍କ ସାହାଯ୍ଯ ନେବାକୁ ପରାମର୍ଶ ଦିଆଯାଇଛି ।