ଜଙ୍ଗଲ ପଦା ହେବା ପରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଭାଲୁ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିରରେ ଭାଲୁ । ଗତକାଲି ରାତି ପ୍ରାୟ ୯ ଟାରେ ତେନ୍ତୁଳିଖୁଣ୍ଟି ସ୍ଥିତ ତାରିଣୀ ମନ୍ଦିର ପରିସରରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଭାଲୁଟି ଗାଁର ମାଳି ସାହିରେ ଥୁବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଡା ମଧ୍ୟରେ ବୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ଭାଲୁଟି ଭତରା ସାହି ମଧ୍ୟରେ ପଶି ପୁଣି ଧାନ ଜମି ଦେଇ କେଉଁଆଡେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା ।  ଭାଲୁଟି କାହାକୁ ଆକ୍ରମଣ କରିନଥିବା ସୂଚନା ମିଳିଛି ।

କିନ୍ତୁ ଭାଲୁକୁ ଦେଖିବାକୁ ସାହି ଲୋକ ଜମା ହୋଇଯାଇଥିଲେ । ତେବେ ଭାଲୁଟି ମନ୍ଦିର ପାଚେରୀ ଡେଇଁ ଆସି ମନ୍ଦିର ଭିତରେ ପଶିବାକୁ ଚେଷ୍ଟା କରୁଥିଲା । ତେବେ ମନ୍ଦିର ଗ୍ରିଲ ବନ୍ଦ ଥିବାରୁ ଭିତରକୁ ପଶି ପାରିନଥିଲା । ପରେ ଦୁଇ ଗୋଡ଼ରେ ଛିଡା ହୋଇ କିଛି ଖାଦ୍ୟ ଖୋଜୁଥିବା ଦେଖିବାକୁ ମିଳିଛି । ଭାଲୁଟି ଖାଦ୍ୟ ଅନ୍ୱେଷଣରେ ମନ୍ଦିର ଭିତରେ ଆସିଥିବା କୁହାଯାଉଛି ।

ଦିନକୁ ଦିନ ଜଙ୍ଗଲ ପଦା ହେବା ସହ ବନ୍ୟ ଜନ୍ତୁଙ୍କ ଖାଦ୍ୟାଭାବ ଦେଖା ଦେବା କାରଣରୁ ଭାଲୁ ମାନେ ଗାଁ ମୁହାଁ ହେବାରେ ଲାଗିଛି । କିଛିମାସ ହେବ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମରେ ମାଳ ମାଳ ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ଭାଲୁମାନେ କାହାର କିଛି କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି ।

Leave a Reply