ଗୁଡ଼-ଲଙ୍କାଆମ୍ବ ଖାଇବାକୁ ରାସ୍ତାକଡ଼ରେ ବୁଲୁଛନ୍ତି ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର: ପୁଣି ନବରଙ୍ଗପୁରରେ ଭାଲୁ ଆତଙ୍କ । ନନ୍ଦହାଣ୍ଡି ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି ମାଳ ମାଳ ଭାଲୁ । ଜଙ୍ଗଲ ଛାଡ଼ି ରାସ୍ତାକଡ଼ରେ ବୁଲୁଥିବାରୁ ଲୋକେ ଆତଙ୍କିତ । ରାସ୍ତାରେ ଯିବାକୁ ଡରୁଛନ୍ତି ଲୋକ । ସିନ୍ଧିଗୁଡ଼ା ଗାଁ ପାଖ ରାସ୍ତା କଡ଼ରେ ୪ଟି ଭାଲୁ ବୁଲୁଥିବା ନେଇ ଦେଖାଯାଇଛି । ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଭାଲୁ ମାନଙ୍କୁ ଦେଖି ଭିଡିଓ ଉତ୍ତୋଳନ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ସିନ୍ଧିଗୁଡା ଗାଁ ନିକଟରେ ଥିବା ଜଙ୍ଗଲରୁ ବାହାରି ଭାଲୁମାନେ ଏଣେତେଣେ ବୁଲୁଥିବା ଦେଖାଯାଇଛି । ରାସ୍ତାରେ ସାଧାରଣ ଲୋକ ଯିବା ଆସିବା କରୁଥିବା ବେଳେ ରାସ୍ତାରେ କଡ଼ରେ ଭାଲୁ ମଧ୍ୟ ଯିବା ଆସିବା କରୁଛି । ଯାହାକି ସାଧାରଣ ଲୋକଙ୍କୁ ଭୟଭୀତ କରୁଛି । ତେବେ ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୪ଟି ଭାଲୁ ରାସ୍ତା କଡ଼ରେ ଏଣେ ତେଣେ ବୁଲୁଥିବା ଦେଖାଯାଇଛି । ଏହି ରାସ୍ତା ନବରଙ୍ଗପୁର ମୁଖ୍ୟ କାର୍ଯ୍ୟାଳୟ ସହିତ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ୍‌ କାର୍ଯ୍ୟାଳୟକୁ ସଂଯୋଗ କରୁଛି । ତେଣୁ ଏହି ରାସ୍ତା ଦେଇ ଅନେକ ଲୋକ ଯିବା ଆସିବା କରୁଛନ୍ତି । ତେବେ ଭାଲ ଚଳପ୍ରଚଳ କଥା ପ୍ରଚାରିତ ହେବା ପରେ ଲୋକଙ୍କ ମନରେ ଭୟ ଦେଖାଯାଇଛି । ସେହି ରାସ୍ତାରେ ଏକାକି ଯିବାକୁ ଲୋକ ଏବେ ଭୟ କରୁଛନ୍ତି ।

ତେବେ ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲଗୁଡିକୁ କାଟି ଦିଆଯାଇଥିବାରୁ ଭାଲୁ ମାନେ ସଞ୍ଜ ନଇଁଲେ ଜଲଙ୍ଗରୁ ବାହରି ଆସନ୍ତି ଖାଦ୍ୟ ଅନ୍ୱେଷଣରେ । ଅପରାହ୍ନ ପ୍ରାୟ ୩ ଟାରୁ ୫ଟା ମଧ୍ୟରେ ଭାଲୁ ବାହାରକୁ ଆସୁଥିବା ଦେଖାଯାଇଛି । ଏବେ ଗଛରେ କାଜୁ ବା ଲଙ୍କା ଆମ୍ବ ଫଳ ଧରିବା ଆରମ୍ଭ ହୋଇଥିବାରୁ ଭାଲୁମାନେ ଏଣେତେଣେ ଖାଇବାକୁ ବୁଲୁଛନ୍ତି । ଖାଲି ସେତିକି ନୁହେଁ ଏହି ସମୟରେ ଆଖୁରୁ ଗୁଡ଼ ବାହାର କରି ଚାଷୀମାନେ ଘରେ ଗଛିତ ରଖିଥାନ୍ତି । ସେହି ଗୁଡ଼ ଖାଇବା ଲୋଭରେ ମଧ୍ୟ ଭାଲୁମାନେ ଜଙ୍ଗଲରୁ ବାହାରି ଆସନ୍ତି ।

Leave a Reply