ବିଚ କର୍ମଚାରୀଙ୍କୁ ମିଳୁନି ଦରମା: ଦାବି କଲେ ଛଟେଇ ହେଉଥିବା ଅଭିଯୋଗ

1 min read

ପୁରୀ: ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ସ୍ବର୍ଣ୍ଣାଭ ବେଳାଭୂମି ସୃଷ୍ଟି କରିଛି ଉଦାହରଣ । ଏଥିପାଇଁ ଡେନମାର୍କ ଫାଉଣ୍ଡେସନ୍ ଫର ଏନ୍ଭାରମେଣ୍ଟାଲ୍ ଏଜୁକେସନ୍ ପକ୍ଷରୁ ପୁନର୍ବାର ସ୍ୱର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପ୍ରଦାନ କରାଯାଇଛି । ଅହମଦାବାଦରେ ଏକ ସ୍ବତନ୍ତ୍ର ଚୟନ କାର୍ଯ୍ୟକ୍ରମରେ ଜୁରିମାନେ ମାନ୍ୟତା ପତାକା ପ୍ରଦାନ କରିଛନ୍ତି । ୮୭୦ ମିଟର ବେଳାଭୂମିର ପର୍ଯ୍ୟାୟ କ୍ରମେ ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି l ପରିବେଶ ଅନୁକୂଳ ଜଳକ୍ରୀଡ଼ା ପାଇଁ ଯୋଜନା କରାଯାଉଛି l ଏଥିପାଇଁ ପୁରୀ ସହରବାସୀ ଓ ବିଚ୍ କର୍ମଚାରୀଙ୍କୁ ଶ୍ରେୟ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ବ୍ଲୁଫ୍ଲାଗ ରେ କାମ କରୁଥିବା କର୍ମଚାରୀଙ୍କୁ କିନ୍ତୁ ମିଳିନି ଦରମା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ବେଳାଭୂମି କର୍ମଚାରୀ ସଙ୍ଘ ।

ଗତ ସରକାର ସମୟରେ ବିଚରେ କାମ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ବର୍ଦ୍ଧିତ ଦରମା ଏ ପର୍ଯ୍ୟନ୍ତ ମିଳିନାହିଁ । ଏପରିକି ଗତ ୨ ମାସର ରେଗୁଲାର ଦରମା ମଧ୍ୟ ମିଳି ନଥିବା କହିଛନ୍ତି କର୍ମଚାରୀ । ପ୍ରତିବାଦରେ ବେଳାଭୂମି କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ୟୁଟେକ ସର୍ଭିସ, ଏସଏସ ସର୍ଭିସ ଏଜେନ୍ସି ଦ୍ୱାରା ବିଚକ୍ଲିନ, ଗାର୍ଡେନ, ଇଲେକ୍ଟ୍ରିସିଆନ, ସିକ୍ୟୁରିଟି, ଟିକେଟ କାଉଣ୍ଟର, ଫାଷ୍ଟଏଡ ଆଟେଡାଣ୍ଟ ପଦବୀରେ ପ୍ରାୟ ୬୫ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଦୁଇଟି ଏଜେନ୍ସି ସରକାରଙ୍କ ଘୋଷିତ ବର୍ଦ୍ଧିତ ମଜୁରୀ ଦେଉନାହାନ୍ତି । ବର୍ଗୀକରଣ ଆଧାରରେ ମଧ୍ୟ ମିଳୁନି ଦରମା । ଇପିଏଫ ଟଙ୍କା ଦାଖଲ କରାନଯାଇ ହେରଫେର କରାଯାଉଥିବା ଅଭିଯୋଗ ହୋଇଛି । ମାଗିଲେ ବିନା ନୋଟିସରେ ଛଟେଇ କରାଯାଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ସେପଟେ କର୍ମଚାରୀଙ୍କ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ । ବ୍ଲୁଫ୍ଲାଗ ବିଚ କାମ କରୁଥିବା କର୍ମଚାରୀଙ୍କୁ ଦରମା ମିଳୁ ନଥିଲେ ବି ସେମାନେ କେବା କାମରେ ଅବହେଳା କରି ନଥିବା କହିଛନ୍ତି ।